ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

 

ନିଶା ଛଡ଼ାଇବାକୁ ଯାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ୟୁନିଟ୍ ୬ ଅଞ୍ଚଳର ସୁମନ୍ତ ପଣ୍ଡା (୩୬) । ମୃତ ସୁମନ୍ତଙ୍କ ପରିବାର ନିଶା ନିବାରଣ କେନ୍ଦ୍ର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।  ୟୁନିଟ୍ ୬ ଅଞ୍ଚଳର ସୁମନ୍ତ ପଣ୍ଡା ଅତ୍ୟଧିକ ମଦ୍ୟପାନ କରୁଥିଲେ । ପୁଅର ନିଶା ଛଡ଼ାଇବା ପାଇଁ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ନିଶା ନିବାରଣ କେନ୍ଦ୍ରକୁ ଜଣାଇଥିଲେ । ଗତକାଲି କେନ୍ଦ୍ରର କର୍ମଚାରୀ ଆସି ତାଙ୍କୁ ଘରୁ ନେଇ ଯାଇଥିଲେ । ମାତ୍ର ଆଜି ଭୋରୁ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ସୁମନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ଏହା ପରେ ସେମାନେ ଫେରାର ହୋଇଯାଇଥିଲେ ।  ମେଡ଼ିକାଲ ପକ୍ଷରୁ ପରିବାର ଲୋକଙ୍କୁ ଏ ନେଇ ଖବର ଦିଆଯାଇଥିଲା । ପରିବାର ଲୋକ ମେଡ଼ିକାଲରେ ପହଁଚିବା ବେଳକୁ ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ନିଶା ନିବାରଣ କେନ୍ଦ୍ରରେ ସୁମନ୍ତଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ ମାଡ଼ର ଦାଗ ଦେଖିବାକୁ ମିଳିଛି, ତେଣୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି ।  ତେବେ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ମେଡ଼ିକାଲରେ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ପଠାଇ ଦେଇଥିବାବେଳେ ତଦନ୍ତ ଆରମ୍ଭ କରିଛି ।

Share this post with your friends

Prev Post Next Post