ବଦଳିଲା ଓଡ଼ିଶା ନର୍ସିଂ କ୍ୟାଡରର ଡ୍ରେସ୍ କୋଡ : ୟୁନିଫର୍ମରେ ସମ୍ବଲପୁରୀ ଛିଟ
ରାଜ୍ୟର ସରକାରୀ ନର୍ସଙ୍କ ଡ୍ରେସ କୋଡରେ ପରିବର୍ତ୍ତନ କରାଯାଇଛି । ଉଭୟ ପୁରୁଷ ଏବଂ ମହିଳାଙ୍କ ଡ୍ରେସର ରଙ୍ଗ ଓ ଡିଜାଇନ୍ ବଦଳିଛି । ଜେନେରାଲ ୱାର୍ଡ, ଆଇସିୟୁ, ଅପରେସନ୍ ଥିଏଟର ଏବଂ ଲେବର୍ ରୁମରେ କାର୍ଯ୍ୟ କରୁଥିବା ନର୍ସିଂ ଷ୍ଟାଫମାନଙ୍କ ପାଇଁ ନୂତନ ଡିଜାଇନ ଡ୍ରେସ ପିନ୍ଧିବେ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଜେନେରାଲ ୱାର୍ଡ ଏବଂ ଜରୁରୀକାଳୀନ ବିଭାଗରେ କାର୍ଯ୍ୟ କରୁଥିବା ମହିଳା ନର୍ସିଂ ଅଫିସର ଓ ସିନିୟର ଅଫିସରମାନେ ଲାଇଟ୍ ଲାଭେଣ୍ଡର୍ ରଙ୍ଗର ଶାଢ଼ୀ କିମ୍ବା ସାଲୁଆର କମିଜ ସହିତ ଧଳା ରଙ୍ଗର ହାଫ୍ ହାତ ଆପ୍ରନ୍ ପିନ୍ଧିବେ । ସେହିପରି ପୁରୁଷମାନେ ଲାଇଟ୍ ଲାଭେଣ୍ଡର୍ ରଙ୍ଗର ଫୁଲ୍ ସାର୍ଟ ଏବଂ ଗାଢ଼ ନୀଳ ରଙ୍ଗର ପ୍ୟାଣ୍ଟ୍ ପିନ୍ଧିବେ ।
ଆଇସିୟୁ, ଅପରେସନ୍ ଥିଏଟର ଏବଂ ଲେବର୍ ରୁମରେ କାର୍ଯ୍ୟ କରୁଥିବା ଉଭୟ ମହିଳା ଏବଂ ପୁରୁଷ ନର୍ସିଂ ଅଫିସରମାନେ ଲାଇଟ୍ ଲାଭେଣ୍ଡର୍ ରଙ୍ଗର ସାର୍ଟ-ପ୍ୟାଣ୍ଟ ପିନ୍ଧିବେ । ସେହିପରି ଉଭୟ ମହିଳା ଏବଂ ପୁରୁଷ ଆସିଷ୍ଟାଣ୍ଡ୍ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟମାନେ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିବେ । ପୁରୁଷମାନେ ଗାଢ଼ ନୀଳ ରଙ୍ଗର ପ୍ୟାଣ୍ଟ୍ ପିନ୍ଧିବେ । ଅନ୍ୟପକ୍ଷରେ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ (ଡିଏନ୍ଏସ୍) ଏବଂ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ (ଏନଏସ୍) ଭାବେ କାର୍ଯ୍ୟକରୁଥିବା ମହିଳା ନର୍ସମାନେ ଧଳା ରଙ୍ଗର ଶାଢ଼ୀ ଏବଂ ପୁରୁଷମାନେ ଧଳା ରଙ୍ଗର ଫୁଲ୍ ସାର୍ଟ ଓ ଗାଢ଼ ନୀଳ ରଙ୍ଗର ପ୍ୟାଣ୍ଟ୍ ପିନ୍ଧିବେ । ଏମାନଙ୍କ ଆପ୍ରନ୍ ର କଲାର୍ ରେ ସାମାନ୍ୟ ସମ୍ବଲପୁରୀ ଡିଜାଇନ୍ ରହିବ । ନର୍ସିଂ କର୍ମଚାରୀମାନେ ଡ୍ରେସ ବଦଳାଇବା ନେଇ ଆନ୍ଦୋଳନ କରିଥିଲେ । ସରକାର ନର୍ସିଂ ସଙ୍ଘ ସହିତ ଆଲୋଚନା କରିବା ପରେ ଏହି ପରିବର୍ତ୍ତନ କରିଛନ୍ତି ।