Breaking News

ଶୁଭଖୁଣ୍ଟି ସ୍ଥାପନା ପୂର୍ବରୁ ଠାକୁରାଣୀ ମନ୍ଦିର ପୁନଃନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଧାୟକଙ୍କ ନିର୍ଦ୍ଦେଶ

 

ବ୍ରହ୍ମପୁର, ୨୭/୧୨ (ଅଭିଜିତ କର): ବିଶ୍ୱ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ଗତ ବିଜେଡି ସରକାରରେ ଶୁଭାରମ୍ଭ ହୋଇଥିଲା । ଗତ ନିର୍ବାଚନ ପୂର୍ବରୁ ତତ୍କାଳୀନ ସଚିବ ତଥା ବିଜେଡି ନେତା କାର୍ତ୍ତିକେୟନ ପଣ୍ଡିଆନ ବ୍ରହ୍ମପୁର ଆସି ବୁଢୀ ଠାକୁରାଣୀଙ୍କ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ପାଇଁ ୧୯ କୋଟି ଟଙ୍କାର ଅନୁଦାନ ଅର୍ଥ ରାଶି ପ୍ରଦାନ କରିଥିଲେ। ଅନୁଦାନ ପ୍ରଦାନର କିଛି ଦିନ ପରେ ପୂର୍ବତନ ବିଧାୟକ ଓ ସାଂସଦଙ୍କ ସମେତ ଏକ ଦଳ ଓ ସରକାରୀ ଅଧିକାରୀ ମାନେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ। ପରେ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ନିର୍ବାଚନ ଯୋଗୁଁ ମନ୍ଦିରର ନିର୍ମାଣ କାର୍ଯ୍ୟ କିଛି ଦିନ ପାଇଁ ବନ୍ଦ ରହିଥିଲା । ଯାହା ଫଳରେ ଆଗାମୀ ଯାତ୍ରା ସମୟରେ ସମ୍ପୂର୍ଣ୍ଣ ହେବାରେ ଅସମ୍ଭବ ମନେ ହେଉଥିଲା । ସେନେଇ ବର୍ତ୍ତମାନର ବିଜେପି ବିଧାୟକ ଶ୍ରୀ କେ ଅନିଲ କୁମାର ନିର୍ବାଚିତ ହେବା ପରେ ଆଜି ଦିତୀୟ ଥର ପାଇଁ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରକୁ ଯାଇ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । 

ତେବେ ଆଜି ମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗର ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ଠିକାଦାର ଏବଂ ମହାନଗର ନିଗମର ଡେପୁଟି କମିଶନରଙ୍କ ସହିତ ବିଶେଷ ଆଲୋଚନା କରି ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ମାଁ ବୁଢ଼ୀ ଠାକୁରାଣୀଙ୍କ ଦୁଇ ବାର୍ଷିକୀ ଯାତ୍ରା ଅନୁଷ୍ଠିତ ହେବାକୁଥିବା ବେଳେ, ଚୈତ୍ର ମାସ ପୂର୍ବରୁ ତଥା ଏପ୍ରିଲ ମାସରୁ ମାର୍ଚ୍ଚ ମାସ ମଧ୍ୟରେ ମାଁଙ୍କ ଶୁଭ ଖୁଣ୍ଟି ସ୍ଥାପନ ପୂର୍ବରୁ ଯେପରି କାମ ସରିଯିବ ସେଥିପ୍ରତି ଧ୍ୟାନ ଦେବାକୁ ସଂପୃକ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ କହିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଅନିଲ ମାଁ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ମନ୍ଦିରର ଚାରିଗୋଟି ପ୍ରବେଶ ପଥ ଦ୍ୱାର ନିର୍ମାଣ ପାଇଁ ଶୁଭ ଦେଇଥିଲେ । ଏହାସହ ଓଡିଶା ସରକାରଙ୍କ ଅନୁଦାନରେ ମନ୍ଦିରରେ ଚାଲିଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ଗୁଡିକୁ ପରିଦର୍ଶନ କରିଥିଲେ ।

Type and hit Enter to search

Close