ରାଜ୍ୟରେ ଆଗାମୀ ଦୁଇ ଦିନ ଧରି କାଳବୈଶାଖୀ ଲାଗି ରହିବ। ଏ ନେଇ ପାଣିପାଗ ବିଭାଗ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ତୋଫାନ ହେବାର ଆଶଙ୍କା ରହିଛି। ଶୁକ୍ରବାରଠାରୁ ରାଜ୍ୟରେ ତାପମାତ୍ରା ମଧ୍ୟ ହ୍ରାସ ପାଇବ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଶୁକ୍ରବାର ଅପରାହ୍ନରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ସତର୍କତା ଜାରି କରାଯାଇଛି।
ସେହିପରି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବାଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶୋଇ ଏବଂ ବାଙ୍ଗିରିପୋଷି ଅଞ୍ଚଳରେ କୁଆପଥର ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଆଜବେଷ୍ଟସ୍ ଓ ଟାଇଲ୍ ଘର ଭାଙ୍ଗି ଯାଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। କୁଆପଥର ମାଡ଼ରେ ଏକ ଯାତ୍ରୀବାହୀ ବସ୍ର କାଚ ଭାଙ୍ଗି ଯାତ୍ରୀମାନେ ଆହତ ହୋଇଛନ୍ତି। କାଳବୈଶାଖୀ ଯୋଗୁଁ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ପ୍ରାୟ ତିନି ଘଣ୍ଟା ଧରି କାଳବୈଶାଖୀ ତାଣ୍ଡବ ଚଳାଇଥିଲା। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯିବା ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି।
Social Footer