ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ଚିଲିଗୁଡ଼ା ନିକଟରେ ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତା ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସାହାଯ୍ୟରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବରଯାତ୍ରୀମାନଙ୍କୁ ନେଇ ଏହି ଗାଡ଼ି କଳାହାଣ୍ଡିରୁ ଛତିଶଗଡ଼କୁ ଯାଇଥିଲା। ରାତିରେ ବିବାହ ସମାରୋହ ଶେଷ ହେବା ପରେ ସମସ୍ତେ କଳାହାଣ୍ଡିକୁ ଫେରୁଥିବା ସମୟରେ ବାଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ିରେ ମୋଟ ୭ ଜଣ ଥିବା ଜଣାପଡ଼ିଛି। ଚାଳକ ଭଜନ କରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Social Footer