ମହାକାଶରୁ ପୃଥିବୀକୁ ଫେରିଲେ ସୁନୀତା ଓ୍ବିଲିୟମ୍ସ
ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଦୀର୍ଘ ନଅ ମାସ ମହାକାଶରେ ଅତିବାହିତ କରିବା ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନାସା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୁନୀତା ମଙ୍ଗଳବାର ଭାରତୀୟ ସମୟ ରାତି ୩ଟା ୩୭ ମିନିଟରେ ଫ୍ଲୋରିଡା ଉପକୂଳସ୍ଥ ସମୁଦ୍ରରେ ଅବତରଣ କରିଛନ୍ତି। ମୂଳରୁ ଏକ ସପ୍ତାହ ପାଇଁ ମହାକାଶକୁ ଯାତ୍ରା କରିଥିବା ସୁନୀତା, ଅନିବାର୍ଯ୍ୟ କାରଣରୁ ୨୮୬ ଦିନ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ (ଆଇଏସଏସ୍) ଅଟକି ରହିଥିଲେ। ଅନ୍ତରୀକ୍ଷରେ ସର୍ବାଧିକ ସମୟ ଅତିବାହିତ କରିବାରେ ସୁନୀତା ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଏବଂ ବିଶ୍ୱର ତୃତୀୟ ମହିଳା ଭାବେ ରେକର୍ଡ ସ୍ଥାପନ କରିଛନ୍ତି।
ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ଖବର ଗୁଜରାଟର ମେହସାଣା ଜିଲ୍ଲାସ୍ଥିତ ତାଙ୍କ ପୈତୃକ ଗ୍ରାମ ଝୁଲାସାନ୍ରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ଗ୍ରାମବାସୀମାନେ ମଙ୍ଗଳବାର ସକାଳୁ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। କେତେକ ଗ୍ରାମବାସୀ ଡୋଲା ମାତାଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଜାଳିଥିବା ବେଳେ ସୁନୀତାଙ୍କ ସୁରକ୍ଷିତ ଫେରିବା ପାଇଁ ପ୍ରାର୍ଥନା କରିଥିଲେ।
ସୂଚନାଯୋଗ୍ୟ ଯେ, ସୁନୀତା ଏବଂ ତାଙ୍କ ସହଯାତ୍ରୀ ୱିଲମୋର ଗତ ବର୍ଷ ଜୁନ୍ ୮ରେ ବୋଇଂ ଷ୍ଟାରଲାଇନର ଯୋଗେ ମହାକାଶକୁ ଯାତ୍ରା କରିଥିଲେ। ଯୋଜନା ଅନୁସାରେ ସେମାନେ ଏକ ସପ୍ତାହ ଆଇଏସଏସ୍ରେ ରହି ପୃଥିବୀକୁ ଫେରିବାର ଥିଲା। କିନ୍ତୁ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ନାସା ସେମାନଙ୍କୁ ସାଙ୍ଗରେ ନ ଆଣି ଷ୍ଟାରଲାଇନରକୁ ପୃଥିବୀକୁ ଫେରାଇ ଆଣିଥିଲା। ପରେ ମାର୍ଚ୍ଚ ୧୪ରେ ସ୍ପେସ୍ଏକ୍ସର ଫାଲକନ୍-୯ ରକେଟ ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଆଇଏସଏସ୍ ସହ ସଂଯୋଗ କରିଥିଲା। ଏହି କ୍ୟାପସୁଲରେ ଯାତ୍ରା କରିଥିବା ଚାରି ମହାକାଶଚାରୀ ଆଇଏସଏସ୍ରେ ପହଞ୍ଚିଥିବା ବେଳେ ସୁନୀତା ଓ ୱିଲମୋରଙ୍କୁ ନେଇ ଏହା ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛି।