ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ
ଆଜି ଚୈତ୍ର ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଯୋଗୁଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି। ବନକଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଏହା ସମ୍ପାଦନ ସମୟରେ ମହାପ୍ରଭୁଙ୍କ ଦର୍ଶନ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଥାଏ।
ଏହି ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖକୁ ସୁଶୋଭିତ କରାଯାଇଥାଏ। ପରମ୍ପରା ଅନୁସାରେ, ଦ୍ବିପ୍ରହର ଧୂପ ଶେଷ ହେବା ପରେ ମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରାଯାଇ ଏହି ନୀତି ଆରମ୍ଭ ହୋଇଥାଏ। ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି। ଏହି ପ୍ରକ୍ରିୟା ପାଇଁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥାଏ ଏବଂ ଏହି ସମୟରେ ମନ୍ଦିରର ସମସ୍ତ ପ୍ରବେଶ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ।
ଶ୍ରୀମନ୍ଦିର ଭାଷାରେ ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ କରାଯାଉଥିବା ଏହି ଶୃଙ୍ଗାରକୁ ‘ବନକଲାଗି’ କୁହାଯାଏ। ଆଜିର ବନକଲାଗି ନୀତି ସହିତ ଆଗାମୀ ୨୦ ତାରିଖରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଥିବାରୁ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆଜି ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।