ଡବା ଅସଲି ଘିଅ ନକଲି,ପୋଲିସ ପକ୍ଷରୁ ଚଢ଼ାଉ

 

ଡବା ଅସଲି କିନ୍ତୁ ଭିତର ମାଲ ନକଲି । ଓମଫେଡ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ସେକଥା ଜାଣି ନାହାନ୍ତି । ଘିଅ ନାଁରେ ହେଉଛି ଭେଜାଲ । ଓମଫେଡ ଘିଅର ନାଁ ଭଲ ରହିଛି । ଗ୍ରାହକଙ୍କୁ ଭଲ କ୍ବାଲିଟିର ଘିଅ ଯୋଗାଉଥିବାରୁ ଘରେ ଘରେ ଓମଫେଡ ଘିଅକୁ ବ୍ୟବହାର କରାଯାଏ । କିନ୍ତୁ କିଛି ଲୋକ ଓମଫେଡ ଡବା ଆଣି ସେଥିରେ ନକଲି ଘିଅ ପୁରାଇ ବିକ୍ରି କରୁଛନ୍ତି ।

ରାଉରକେଲାରେ ଓମଫେଡ୍ ଘିଅ ଡବାରେ ନକଲି ଘିଅକୁ ଭର୍ତ୍ତି କରି ଲୋକଙ୍କୁ ବିକୁଛନ୍ତି ଦୋକାନୀ । ଏନେଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ରାଉରକେଲା ସହରରେ ନକଲି ଓମଫେଡ୍‌ ଘିଅର କାରବାର ଚାଲିଥିବା ସୂଚନା ପାଇ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଚଢ଼ାଉରେ ବର୍ତ୍ତମାନ ସୁଦ୍ଧା ୧୭ ଲିଟର ନକଲି ଓମଫେଡ୍ ଘିଅ ଜବତ ହୋଇଛି । ବିଶେଷ କରି ସହରର ପ୍ଲାଣ୍ଟ୍‌ସାଇଟ ହୋଲସେଲ୍‌ ବଜାର ସେକ୍ଟର -୭ ଓ ୮ ନମ୍ବର ମାର୍କେଟ ସମେତ ଅନ୍ୟ କିଛି ସ୍ଥାନରେ ରାଉରକେଲା ପୋଲିସ ଏବଂ ଓମଫେଡ୍ ର ଅଧିକାରୀ ମିଶି ଚଢ଼ାଉ କରିଥିଲେ ।

ସୂଚନା ମୁତାବକ ଏହି ଚଢ଼ାଉ ପରେ ସନ୍ଦେହ ଆଧାରରେ ପ୍ରାୟ ୨ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରାଉଚୁରା କରୁଛି । ପ୍ରାଥମିକ ଅନୁସନ୍ଧାନରୁ କିଛି ସ୍ଥାନରେ ନକଲି ଘିଅ କାରବାର ହେଉଥିବା ଜଣାପଡ଼ିଥିଲା । ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ଆଗାମୀ ସମୟରେ ମଧ୍ୟ ଚଢ଼ାଉ କରାଯିବ । ଖୁବଶୀଘ୍ର ଗୋଦାମ ଏବଂ ସପ୍ଲାଇ ହବ୍ ରେ ଚଢ଼ାଉ କରାଯିବ ବୋଲି କହିଛନ୍ତି ଡିଏସପି । ବିଭିନ୍ନ ନକଲି ସାମଗ୍ରୀକୁ ଜବତ କରାଯାଇ ଅଧିକ ଯାଞ୍ଚ ପାଇଁ ପଠାଯାଉଛି । ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ନକଲି ସାମଗ୍ରୀ କାରବାର ଘଟଣା  ସମ୍ପର୍କରେ ସୂଚନା ପାଇଲେ ପୋଲିସକୁ ଜଣାଇବା ପାଇଁ ସୂଚନା ଦିଆଯାଇଛି ।

ଓଡ଼ିଆ ଘରେ ଘିଅର ଚାହିଦା ବେଶ୍ ଅଧିକ । ତେବେ ଓମଫେଡ୍ ଘିଅର ସ୍ବାଦ ଏବଂ କ୍ବାଲିଟି ପାଇଁ ଲୋକେ ଏହାକୁ ଅଧିକ କିଣନ୍ତି । ଓମଫେଡ୍ ଘିଅ ପ୍ରତି ଥିବା ଲୋକଙ୍କ ଚାହିଦାକୁ ଦେଖି କିଛି ଲୋକ ନକଲି ଘିଅ ଆଣି ଓମଫେଡ୍ ଡବାରେ ଭର୍ତ୍ତି କରୁଛନ୍ତି । ତେବେ ଏଭଳି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହିଁ ଏମାନେ ସୁଧୁରିବେ । ନଚେତ ଏମିତି ଲୋକଙ୍କୁ ନକଲି ଜିନିଷ ଦେଇ ଚୂନା ଲଗାଉଥିବେ ।

Type and hit Enter to search

Close