ରାଜ୍ୟରେ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତି ପାଉଥିଲେ ରାସନ ସୁବିଧା । ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିବା ନେଇ ଆଜି ଗୃହରେ ମତ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ଜଣ ମୃତ ବ୍ୟକ୍ତି ରାସନ କାର୍ଡ ହିତାଧିକାରୀ ଥିଲେ । ସେହିପରି ଗଞ୍ଜାମରେ ୨୫ ହଜାର ୭୮୯, ମୟୂରଭଞ୍ଜରେ ୨୩ହଜାର ୭୯୯, ରାୟଗଡାରେ ୨୨ ହଜାର ୪୧୧ଜଣ ମୃତ ବ୍ୟକ୍ତି ରାସନ ହିତାଧିକାରୀ ରହିଥିଲେ ।
ତେବେ ଯାଞ୍ଚ ପ୍ରକ୍ରିୟା ପରେ ସମସ୍ତଙ୍କୁ ବଦ୍ ଦିଆଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏଥିସହିତ ରାଜ୍ୟରେ ଇ-କେଓ୍ୱାଇସି ଯାଞ୍ଚ ସମୟରେ, ୧୬ ହଜାର ୧୮୪ ଜଣ ଅଯୋଗ୍ୟ ପରିବାର ରାସନ କାର୍ଡ ନେଇଥିବା ଜଣାପଡ଼ିଛି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି ଅପଡେଟ୍ କରାଇଛନ୍ତି ।
Social Footer