ବୁର୍ଲା ଭୀମସାରରେ ସାଂଘାତିକ ଅବ୍ୟବସ୍ଥା: ୩ ଘଣ୍ଟା କଟିଲା ଲାଇନ୍, ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ

 

ସାମ୍ନାକୁ ଆସିଲା ଚିକିତ୍ସା ଅବ୍ୟବସ୍ଥାର ଆଉ ଏକ କରୁଣ ଚିତ୍ର । ରୋଗୀଙ୍କୁ ଦିଆଗଲା ଅନ୍ଧାରୀ ଚିକିତ୍ସା । କର୍କଟ ରୋଗ ବିଭାଗରେ ଅନ୍ଧାରରେ ଦିଆଗଲା କେମୋ । ପ୍ରାୟ ୩ ଘଣ୍ଟା ଧରି ମେଡିକାଲରେ  ବିଦ୍ୟୁତ କାଟ୍ ହୋଇଥିଲା । ଫଳରେ ମୋବାଇଲ ଆଲୁଅରେ ରୋଗୀଙ୍କୁ ଦିଆଯାଇଥିଲା କେମୋ । କେମୋ ଚାଲିଥିବା ବେଳେ ବିଦ୍ୟୁତ ନଥିବାରୁ ଅନ୍ଧାରରେ ବି ଚାଲିଲା ଚିକିତ୍ସା ।  ଏଭଳି ଅଭାବନୀୟ ଦୃଶ୍ୟ ସମ୍ବଲପୁର  ବୁର୍ଲା ଭୀମସାର କର୍କଟ ରୋଗ ବିଭାଗରେ ଦେଖିବାକୁ ମିଳିଛି । 

ସୂଚନା ଅନୁସାରେ ରୋଗୀଙ୍କୁ କେମୋ ଦେବା ସମୟରେ ଲାଇନ କଟିଥିଲା। ହେଲେ ୩ ଘଣ୍ଟା ଯାଏ ଲାଇନ୍ ଆସିନଥିଲା। ଫଳରେ ଏହି ଅନ୍ଧାରକୁ ଖାତିର ନକରି ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଡାକ୍ତର କେମୋ ଥେରାପି ଦେଇଥିଲେ । ଅନ୍ୟପଟେ ଜେନେରେଟର୍‌ ଥାଇ ବି ଲଗାଇନଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସେହିପରି ଏହି ଅଭିଯୋଗକୁ ନେଇ ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଗତ ୧୧ରେ ମରାମତି କାମ ପାଇଁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। 

ତେଣୁ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୀମସାର ଅଧୀକ୍ଷକ କହିଛନ୍ତି। ତେବେ ଏହି ଘଟଣା ରାଜ୍ୟରେ ନୂଆନୁହେଁ ପୂର୍ବରୁ ମଧ୍ୟ ଏମିତି ଅନେକ ଖବର ସାମ୍ନାକୁ ଆସିଛି । ମେଡିକାଲ କତୃପକ୍ଷଙ୍କ ଅବହେଳା ପାଇଁ ଅନ୍ଧାରରେ ଚିକିତ୍ସା ଚାଲୁଛି । ଏନେଇ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେବା ଉଚିତ ନ ହେଲେ ରୋଗୀଙ୍କ ଜୀବନ ବିପଦରେ ପଡିପାରେ ।

Share this post

Previous Post Next Post