Breaking News

ପ୍ରତି ଜିଲ୍ଲାରେ ଗଠନ କରାଯିବ ଅବକାରୀ ବିଭାଗ ଏନଫୋର୍ସମେଣ୍ଟ ଟିମ୍, ଆରମ୍ଭ କରାଯାଉଛି ପ୍ରକ୍ରିୟା

 • ଅବକାରୀ ଏକାଡେ଼ମୀ ପ୍ରତିଷ୍ଠା କରାଯିବା ନେଇ ସରକାରଙ୍କ ରହିଛି ଚିନ୍ତନ - ପୃଥ୍ୱୀରାଜ ହରିଚନ୍ଦନ

• ଅବକାରୀ ବିଭାଗ ଅଧିକାରୀଙ୍କ ଦିଗଦର୍ଶନ ଓ ସଚେତନତା  କାର୍ଯ୍ୟକ୍ରମ

ଛତ୍ରପୁର,୧୮/୧(ଅଭିଜିତ କର): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋନାପୁର ଇକୋ ରିଟ୍ରିଟ ଠାରେ ଅବକାରୀ ବିଭାଗ ପକ୍ଷରୁ ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I  କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅବକାରୀ ବିଭାଗକୁ ଚଳଚଞ୍ଚଳ ଓ ସଂପୂର୍ଣ୍ଣ କ୍ରିୟାନ୍ବୟନ କରିବା ଦିଗରେ ଅଧିକାରୀ ମାନଙ୍କୁ ଉଦବୋଧନ ଦେଇଥିଲେ I ରାଜ୍ୟରେ ବେଆଇନ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦିର ଚୋରା ଚାଲାଣକୁ ସଂପୂର୍ଣ୍ଣ ରୂପେ ରୋକିବା ଦିଗରେ ଅବକାରୀ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିୟମିତ ଭାବରେ ଚ଼ଢାଉ କରି ବେଆଇନ ସାମଗ୍ରୀ ମାନ ଜବତ କରୁଥିବାରୁ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ରାଜ୍ୟର ପ୍ରତି ଜିଲ୍ଲାରେ ଅବକାରୀ ବିଭାଗ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଉଛି। ଆଗାମୀ ଦିନରେ ରାଜ୍ୟରେ ଅବକାରୀ ଏକାଡେ଼ମୀ ପ୍ରତିଷ୍ଠା କରାଯିବା ନେଇ ସରକାର ଚିନ୍ତା କରୁଛନ୍ତି । ଅବକାରୀ ବିଭାଗକୁ ସଂପୂର୍ଣ୍ଣ ରୂପେ ସଶକ୍ତିକରଣ କରାଯିବା ସହ ଅବକାରୀ ବିଭାଗର ନୂତନ ନୀତି ବିଷୟରେ ଆଲୋଚ଼ନା କରିଥିଲେ। 

ଏଥି ସହିତ ଅବକାରୀ ଆଇନର ସଂଶୋଧନ, ପ୍ରଚଳିତ ଆଇନକୁ ସଂଶୋଧନ କରି ଦଣ୍ଡବିଧାନ ହାର ବୃଦ୍ଧି, ବେଆଇନ ମାଦକ କାରବାର ନେଟୱାର୍କକୁ ଧ୍ୱଂସ କରିବା, ନିୟମିତ ଅବକାରୀ ଅଧିକାରୀଙ୍କ ପ୍ରଶିକ୍ଷଣ ବ୍ୟବସ୍ଥା, ନୂତନ ଅବକାରୀ ଥାନା ଗଠନ ସହ ଷ୍ଟ୍ରବେରୀ, ବ୍ଲୁବେରି ଚାଷ ମାଧମରେ ବିକଳ୍ପ ଜୀବିକା ପ୍ରୋତ୍ସାହନ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା I ପ୍ରଥମ ଥର ଲାଗି ବିଭିନ୍ନ ରାଜ୍ୟର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ମେଡ଼ିଟେସନ, ଯୋଗ ଏବଂ ଷ୍ଟ୍ରେସ ମ୍ୟାନେଜମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗର‌ କମିଶନର ତଥା ଶାସନ ସଚ଼ିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, କମିଶନର ଶ୍ରୀ ନରସିଂହ ଭୋଳ, ଏନସିବି ଅଧିକ୍ଷକ ଶ୍ରୀ ସମୀରନ ପାଉଳ, ଡ଼େପୁଟି କମିଶନର ଶ୍ରୀମତୀ ପି.ଶ୍ରୀଦେବୀ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ସର୍ବନା ବିବେକ ଏମଙ୍କ ସମେତ ଅବକାରୀ ବିଭାଗ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Type and hit Enter to search

Close