• ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କଳିଙ୍ଗ ବିଦ୍ୟା ମନ୍ଦିରକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି - ଅତିଥି
ବ୍ରହ୍ମପୁର,୧୨/୧ (ଅଭିଜିତ କର): ସ୍ଥାନୀୟ ଫାଷ୍ଟ୍ ଗେଟ୍ ନିକଟସ୍ଥ ରଘୁପତି ନଗର ସ୍ଥିତ କଳିଙ୍ଗ ବିଦ୍ୟା ମନ୍ଦିରର ୩୨ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମହାମାୟୀ ମହିଳା କଲେଜ ଅଧ୍ୟାପକ ଡ.ରମେଶ ପ୍ରଧାନ ଯୋଗଦାନ କରିଥିବା ବେଳେ, ମୁଖ୍ୟବକ୍ତା ରୂପେ ବରିଷ୍ଟ ସାମ୍ବାଦିକ ସୁଦର୍ଶନ ନାୟକ, ସମ୍ମାନିତ ଅତିଥି ରୂପେ ପୂର୍ବତନ କର୍ପୋରେଟର ଏମ୍ ଜଗଦୀଶ ରାଓ ଏବଂ ଅବସରପ୍ରାପ୍ତ ସେନାଧିକାରୀ ଅଶୋକ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାମନ୍ଦିରର ସଭାପତି ଶ୍ରୀ ଜବହାରଲାଲ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାକାର୍ଯ୍ୟରେ ବିଦ୍ୟାଳୟ ସମ୍ପାଦକ ହରିକୃଷ୍ଣ କୋଠିଆ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଳା ପଟ୍ଟନାୟକ ବିଦ୍ୟାମନ୍ଦିରର ବାର୍ଷିକ ବିବରଣୀ ପାଠ କରିଥିଲେ।
ଏନେଇ ଅତିଥି ମାନେ ବିଦ୍ୟାମନ୍ଦିରର ପରିବେଶ ଓ ପାଠ୍ୟକ୍ରମ ତଥା ସଫଳତା ପାଇଁ ସାଧୁବାଦ ଜଣାଇବା ସହ ଏହି ଶିକ୍ଷାନୁଷ୍ଠାନର ଉତ୍ତରାତ୍ତୋର କାମନା କରିଥିଲେ। ସେହିପରି ଅନ୍ୟତମ ଅତିଥି ମାନେ ଶିକ୍ଷାର ଉନ୍ନତି ଓ ବିକାଶ ନିମନ୍ତେ ବିଭିନ୍ନ ଉପଦେଶମୂଳକ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଏବଂ ବହୁ ପରୀକ୍ଷା ଗୁଡିକରେ ଉତ୍ତୀର୍ଣ୍ଣ ହୋଇଥିବା ବହୁ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସେହିପରି ପ୍ରତି ବର୍ଷଭଳି ଚଳିତ ବର୍ଷ ବିଦ୍ୟାମନ୍ଦିରର ଶ୍ରେଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟତମ ସମ୍ମାନିତ ଅତିଥି ରୂପେ ବନମାଳୀ ପ୍ରଧାନ, ପ୍ରତିଭା ପଣ୍ଡା, ସୁବାଷ ମହାରଣା, କୈଳାସ ଗୌଡ଼, ଉଦୟ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର କୈଳାସ ପାଣିଗ୍ରାହୀ, ଅସିତ ପଟ୍ଟନାୟକ, ସୁବାଷ ସେଠୀ, ବ୍ୟାପ୍ତିଲତା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ, ଅନ୍ୟ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ କର୍ମଚାରୀ ଏବଂ ସମେତ ସ୍କାଉଟ ଏଣ୍ଡ ଗାଇଡ ଛାତ୍ରଛାତ୍ରୀ ମାନେ ପରିଚାଳନରେ ସହଯୋଗ କରିଥିଲେ। ସଭାକାର୍ଯ୍ୟ ଶେଷରେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
Social Footer