ଶିବାନନ୍ଦ ନଗର ମା ସରସ୍ବତୀଙ୍କ ବିଦ୍ୟା ମନ୍ଦିରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ
ବ୍ରହ୍ମପୁର, ୧୨/୧ (ଅଭିଜିତ କର): ପବିତ୍ର ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଦିବସ ଉପଲକ୍ଷେ ଶିବାନନ୍ଦ ନଗର ସ୍ଥିତ ମା ସରସ୍ବତୀ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ରବିବାର ଅପରାହ୍ନରେ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଭାପତି ଡ଼. ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ରୁପେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଯୋଗଦାନ କରିଥିବା ବେଳେ, ମୂଖ୍ୟବକ୍ତା ଭାବେ ଶିକ୍ଷାବିତ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଭଗବାନ ତ୍ରିପାଠୀ, ସମ୍ନାନିତ ଅତିଥି ରୁପେ ଆଇନଜୀବୀ ଶ୍ରୀଯୁକ୍ତ ପୀତବାସ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ବ୍ୟାୟାମ ଯୋଗ, ଆସନ, ସୂର୍ଯ୍ୟ ନମସ୍କାର, ପିରାମିଡ୍, ଲେଜୀମ ଏବଂ ଡମ୍ୱଲରସ୍ ଭଳି ଚମତ୍କାରିତା ପ୍ରଦର୍ଶନ କରିଥିଲେ, ଯାହା ସମସ୍ତ ଅତିଥି ଏବଂ ଅଭିଭାବକ ମାନେ ଅଭିଭୂତ ହୋଇଥିଲେ ।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଯୁବ ସମାଜ ଭିତରେ ଥିବା ଅସୁମାରୀ ସମ୍ଭାବନା ଉପରେ ଅତୁଟ ବିଶ୍ୱାସ ଥିଲା ଏବଂ ସେମାନଙ୍କୁ ଦେଶର ଭବିଷ୍ୟତ ବୋଲି ସେ କହିଥିଲେ। ଏହାସହ ଦେଶର ଆଗାମୀ ଭବିଷ୍ୟତ ସ୍ୱାମୀ ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚରିତ୍ରବାନ ହେବେ ଏବଂ ରାଷ୍ଟ୍ର ଗଠନରେ ନିଜକୁ ସମର୍ପଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ଆଶା ପ୍ରକଟ କରିଛନ୍ତି ବୋଲି ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟା ମନ୍ଦିର ପରିଚାଳନା ସମିତିର ଉପ ସଭାପତି ଦେବେନ୍ଦ୍ର ପାଢ଼ୀ, ସଂପାଦକ ଯଜ୍ଞ ନାରାୟଣ ପାଠୀ, ଯୁଗ୍ମ ସଂପାଦକ ଜୟରାମ ସ୍ୱାଇଁ, ସୁରେନ୍ଦ୍ର ନାଥ ପଟ୍ଟନାୟକ, କେଦାର ଚରଣ ପଣ୍ଡା, ମହେଶ୍ୱର ପଣ୍ଡା, ଜୟକୃଷ୍ଣ ବେହେରା, ସୁନୀତା ସାହୁ, ଜ୍ୟୋତ୍ସ୍ନା ମୟୀ ମିଶ୍ର, ଟିକୁଲା ବେହେରା ପ୍ରମୁଖ ଉପସ୍ଥିତ ରହି ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶିଶୁ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଉକ୍ତ ଉତ୍ସବରେ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ଶ୍ରୀ ପାତ୍ର ଅତିଥି ପରିଚୟ କରିବା ବେଳେ, ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ମମତା କୁମାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟା ମନ୍ଦିରର ବରିଷ୍ଟ ଆଚାର୍ଯ୍ୟା ବନ୍ଦନା ମହାନ୍ତି କାର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ, ବିଦ୍ୟା ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ବଳରାମ ସାହୁଙ୍କ ସମେତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଭାଇ ଭଉଣୀ ମାନେ ପୂର୍ଣ୍ଣ ପ୍ରାଣରେ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଲ୍ୟ ମଣ୍ଡିତ କରିଥିଲେ ।