Breaking News

ସୀମା ଟପିଲା ବର୍ବରତା, ଲୁଟ ପରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା

 


ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ମୃତ ମହିଳାଙ୍କ ନାଁ ସୀମାମୟୀ ବେହେରା। ତାଙ୍କୁ ପ୍ରାୟ ୩୦ ବର୍ଷ ହୋଇଥିଲା। ସେ ୭ ମାସର ଗର୍ଭବତୀ ଥିଲେ। ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ୫୦ରେ କେହି ସେମାନଙ୍କ ଘରର କବାଟ ବାଡ଼େଇ ଥିଲେ। ଏହା ଶୁଣି ସୀମା କବାଟ ଖୋଲି ଦେଇଥିଲେ। ସେ କବାଟ ଖୋଲିବା ମାତ୍ରେ ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ତେଣୁ ସେ ଜୋରରେ ପାଟି କରିଥିଲେ। ଏହା ଦେଖି ଦୁର୍ବୃତ୍ତ ଦ୍ୱୟଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି କରି ଦେଇଥିଲେ। ତା’ପରେ ସେମାନେ ଦୌଡ଼ି ପଳାଇଥିଲେ। 

ଗୁଳିଟି ସୀମାଙ୍କ ଛାତିର ବାମ ପଟରେ ବାଜିଥିଲା। ପରିବାର ଲୋକେ ତାଙ୍କୁ ବଣାଇ ଡାକ୍ତରଖାନାକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁଇ ଜଣ ଦୁର୍ବୃତ୍ତଙ୍କୁ ସୀମାଙ୍କ ପରିବାର ଲୋକେ ଦେଖିଥିବା କହୁଥିବା ବେଳେ ପ୍ରକୃତରେ କେତେ ଜଣ ଆସିଥିଲେ, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ଟିକାୟତପାଲି ଥାନା ଆଇଆଇସି ଅନାମ ଚରଣ ନାୟକ। ଦୁର୍ବୃତ୍ତମାନେ ଲୁଟ୍ ଉଦ୍ଦେଶ୍ୟରେ ଆସି ଏହି ସାତ ମାସର ଗର୍ଭବତୀଙ୍କୁ ଗୁଳି କଲେ ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ଥିଲା, ତାହା ପୋଲିସର ତଦନ୍ତ ପରେ ଜଣାପଡ଼ିବ।

Type and hit Enter to search

Close