ମଞ୍ଚରତ୍ନ ନାରାୟଣ ସାମଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

 

ବ୍ରହ୍ମପୁର, (ଅଭିଜିତ କର): ସ୍ଥାନୀୟ ଗିରି ମାର୍କେଟ ସ୍ଥିତ ମିନି ପ୍ରକାଶମ ହଲ ଠାରେ ଗୁରୁବାର ସନ୍ଧ୍ୟାରେ ନିଳେନ୍ଦ୍ରୀ ନାରାୟଣ ଫାଉଣ୍ଡେସନ ଦ୍ୱାରା ଯଶସ୍ବୀ ନାଟ୍ୟମନିଷୀ ମଞ୍ଚରତ୍ନ ନାରାୟଣ ସାମଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ସ୍ମୃତିରେ ସ୍ମୃତିରେ’ ଆୟୋଜିତ ହୋଇଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ମନୋଜ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଚିତ୍ରା ନନ୍ଦ ବେବର୍ତ୍ତ, ରମେଶ ସାହୁ, ଗୋକୁଳି ପଣ୍ଡା, ନୀଳକଣ୍ଠ ସାହୁ, ମହମ୍ମଦ ଆସଲାମ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଜୀବନବ୍ୟାପୀ ସାଧନା ସକାଶେ ବିଶିଷ୍ଟ ନାଟ୍ୟକାର ଲିଙ୍ଗରାଜ ନାହକ, ନିର୍ଦ୍ଦେଶକ ରାମ ସାସମଲ ଓ ଅଭିନେତ୍ରୀ ପ୍ରତିମା ପରିଡ଼ା ଶତପଥୀଙ୍କୁ ନାରାୟଣ ନାଟ୍ୟ ସମ୍ମାନରେ ବିଭୂଷିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ସାମଲ ମତ ପ୍ରକାଶ କରିଛନ୍ତି ଯେ, ଓଡ଼ିଆ ନାଟ୍ୟ ପରମ୍ପରାକୁ ଆଗେଇ ନେବା ସକାଶେ ଆଜୀବନ ସାଧନାରତ ରହି ନିଜ ଲେଖନ, ଅଭିନୟ ଓ ନିର୍ଦ୍ଦେଶନା ଜରିଆରେ ବ୍ରହ୍ମପୁରରର ନାଟ୍ୟ ଜଗତକୁ ମାର୍ଗଦର୍ଶନ କରିଥିଲେ । 

ସେ କେବଳ ମଞ୍ଚ ନାଟକକୁ ଗଞ୍ଜାମର ପୁରପଲ୍ଲୀରେ ପ୍ରସାରିତ କରି ଲୋକଙ୍କୁ ମନୋରଞ୍ଜନର ଖେରାକ ଯୋଗାଉ ନଥିଲେ ବରଂ ନାଟକ ମାଧ୍ୟମରେ ସମାଜରେ ଜାଗରଣ ଆଣିବାରେ ପ୍ରଚେଷ୍ଟାରତ ଥିଲେ। ଦାରିଦ୍ର୍ୟର କଷାଘାତରେ ହାରି ନଯାଇ ନିଜର ପ୍ରତିଭା ବଳରେ ସେ ରେଡ଼ିଓ, ଟେଲିଭିଜନ ଓ ସିନେମାରେ ନିଜର ସଂକ୍ଷିପ୍ତ ଯୋଗଦାନ ଦେବା ସହିତ ଗଞ୍ଜାମର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବାରେ ସଫଳକାମ ହୋଇଥିଲେ। ଜଣେ ପ୍ରସିଦ୍ଧ ମଞ୍ଚସାଜ୍ଜକ ଭାବେ ମଧ୍ୟ ସେ ଦୁର୍ଗାପୂଜା ଓ ଠାକୁରାଣୀ ଯାତ୍ରାରେ ଯେତିକି ପ୍ରଶଂସା ସାଉଁଟୁ ଥିଲେ, ତତୋଧିକ ସଂପ୍ରୀତି ଓ ସମ୍ମାନ ନିଜ ନଟଜୀବନ ଓ ମାନବିକ ମୂଲ୍ୟବୋଧ ପାଇଁ ଅର୍ଜନ କରିଥିଲେ । ଆଜି ସେ ନାହାନ୍ତି ସତ, ହେଲେ ତାଙ୍କ ଜୀବନାଦର୍ଶ ନାଟ୍ୟ ଜଗତ ପାଇଁ ଆଜି ବି ପ୍ରେରଣାର ସ୍ରୋତ ସାଜି ନବପିଢ଼ିଙ୍କୁ ମାର୍ଗଦର୍ଶନ କରୁଛି ବୋଲି ଅତିଥି ମାନେ ମତପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ନାରାୟଣ ସାବତ, ରଶ୍ମିତା କୁମାରୀ ଦଳାଇ, ଅନିଲ ପଟ୍ଟନାୟକ, ମହାନ ଦିବ୍ୟାତ୍ମନ ସାମଲ, ବନିତା ଜେନା ଓ ମିନତି ଦଳାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସଭାକାର୍ଯ୍ୟ ଶେଷରେ ନୃତ୍ୟ ଓ ସଂଗୀତ ଶିଳ୍ପୀ ସେମାନଙ୍କ ଦ୍ଵାରା କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ଅଭିଭୂତ କରିଥିଲେ ।

Share this post with your friends

Prev Post Next Post