୫ ନକଲି ମାଓବାଦୀ ଗିରଫ, ମାଓବାଦୀ ନାଁରେ ଟଙ୍କା ଆଦାୟ ଅଭିଯୋଗ

 

ମାଓବାଦୀଙ୍କ ବର୍ବରତା ଶୁଣିଛନ୍ତି, ହେଲେ ନିଜକୁ ମାଓବାଦୀ କହି ପ୍ରଜାକୋର୍ଟରେ ଶାସନ ଚଳାଇଥିଲେ ୫ ବ୍ୟକ୍ତି। ସାଧାରଣ ଲୋକଙ୍କୁ ପ୍ରଜାକୋର୍ଟର ଧମକ ଦେଖାଇ ବଟି ଆଦାୟ କରୁଥିଲେ। ଆଉ ଏହି ନକଲି ମାଓବାଦୀ ଏବେ ପୋଲିସ ହାତରେ ଧରା ପଡିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡପଦର ପଞ୍ଚାୟତର ନାୟବ ସରପଞ୍ଚ ଭକ୍ତରାମ ଶିଶା ଚିତ୍ରକୋଣ୍ଡା ଥାନାରେ ଏକ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଅନୁଯାୟୀ ଜଗୁ ହନ୍ତାଳ ଏବଂ ଏମ୍‌.ନାରାୟଣ ନାମକ ବ୍ୟକ୍ତି ଦୁଇ ଜଣ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଠିକା କାମ କରନ୍ତି । ଏହି ଦୁଇ ଜଣଙ୍କ ଠିକା କାମ ଅତି ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବାରୁ ଦୁଇଜଣଙ୍କ କାମର ବିଲ୍ ଗୁଡିକ ଚିତ୍ରକୋଣ୍ଡା ବ୍ଲକରେ ପଡି ରହିଛି।

ତେବେ ହରିବନ୍ଧୁ ଗତନ ଏହି ଦୁଇଜଣଙ୍କୁ ଠିକା କାମ ସମ୍ବନ୍ଧୀୟ ଉପକରଣ ଯୋଗାଇଥିଲେ। ଉପକରଣ ନିମନ୍ତେ ବକେୟା ଟଙ୍କା ମାଗିବାରୁ ହରିବନ୍ଧୁ ଓ ଏହି ଦୁଇ ଜଣ ଠିକାଦାରଙ୍କ ମଧ୍ୟରେ ବିବାଦ ହୋଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ବାଙ୍ଗୁରୂପଡା ଗ୍ରାମର ଲକିନାଥ ପାଙ୍ଗି ଓ ମନ ପାଙ୍ଗିଙ୍କ ମଧ୍ୟରେ ଏକ ଜାଗା ସମ୍ବନ୍ଧୀୟ ବିବାଦକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହି ଦୁଇଟି ଘଟଣାକୁ କେନ୍ଦ୍ରକରି ମନ ପାଙ୍ଗି, ଜଗୁ ହନ୍ତାଳ ଓ ଏମ୍‌. ନାରାୟଣ ମିଶି ଯୋଜନାବଦ୍ଧ ଭାବରେ ମାଲକାନଗିରି ବ୍ଲକ ପଦ୍ମଗିରି ଗ୍ରାମର ବିନୋଦ ଜେନା ଓ ଉମାକାନ୍ତ ମାଧେମି ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ମାଓବାଦୀ ବୋଲି କହି ଅଭିଯୋଗକାରୀଙ୍କୁ ତାଙ୍କ ନିକଟକୁ ନେଇଥିଲେ ।

ମାଓବାଦୀ ବୋଲି ନିଜକୁ ପରିଚୟ ଦେଇ ଦୁଇ ଜଣ ଅଭିଯୋଗକାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ତୁରନ୍ତ ଦୁଇ ଜଣ ଠିକାଦାରଙ୍କ ବିଲ୍ ଚିତ୍ରକୋଣ୍ଡା ବ୍ଲକରୁ ପାସ କରାଇବା ପାଇଁ କହିଥିଲେ । କେବଳ ସେତିକି ନୁହେଁ ପ୍ରତ୍ୟେକ ବ୍ୟକ୍ତି ଜରିମାନା ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ପୈଠ କର, ନଚେତ୍ ଦୁଇ ଜଣଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ଏହି ଘଟଣାକୁ ଆଧାର କରି ଉକ୍ତ ୫ ନକଲି ମାଓବାଦୀଙ୍କୁ ଗିରଫ କଲା ପୋଲିସ। ତାଙ୍କଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ତିନୋଟି ମୋବାଇଲ ଓ ୪୦୦ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି ।

Share this post

Previous Post Next Post