ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର ସହ ଫାର୍ମାସିଷ୍ଟ, ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

 

କର୍ମଚାରୀଙ୍କଠାରୁ ଲାଞ୍ଚ ନେବା ଦୁଇ ସରକାରୀ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଦୁଇ ସରକାରୀ କର୍ମଚାରୀ । ସେମାନେ ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ମେଡ଼ିକାଲ ଅଫିସର ଡାକ୍ତର ବିଶ୍ୱଜିତ ଭୂୟାଁ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଏମଏଚୟୁ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡ଼ । ସେମାନଙ୍କଠାରୁ ଲାଞ୍ଚ ନେଇଥିବା ୪୦,୦୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ । 

ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ମେଡ଼ିକାଲ ଅଫିସର ଡାକ୍ତର ବିଶ୍ୱଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡ଼ ବାହାର ଲୋକ ନୁହେ ବରଂ ଉକ୍ତ ମେଡ଼ିକାଲର ଜଣେ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । କର୍ମଚାରୀଙ୍କର ବକେୟା ଦରମା କରିଦେବା ବାବଦକୁ ୪୦ ହଜାର ଦେବାକୁ କହିଥିଲେ । ଉକ୍ତ କର୍ମଚାରୀ ଜଣକ ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ । 

ପୂର୍ବ ଯୋଜନା ମୁତାବକ ଡାକ୍ତର ଓ ଫାର୍ମାସିଷ୍ଟ ଉକ୍ତ କର୍ମଚାରୀ (ଅଭିଯୋଗକାରୀ)ଙ୍କ ଠାରୁ ୪୦ ହଜାର ଟଙ୍କା ନେଉଥିଲେ । ଏହି ସମୟରେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ଦୁଇ ଜଣଙ୍କୁ ମାଡ଼ି ବସିଥିଲା। ସେମାନଙ୍କଠାରୁ ସେହି ଟଙ୍କା ଜବତ କରାଯାଇଛି । 

ଏହା ପରେ ମେଡ଼ିକାଲ ଅଫିସର ଡାକ୍ତର ବିଶ୍ୱଜିତ ଭୂୟାଁଙ୍କର ୩ଟି ସ୍ଥାନ ଏବଂ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡ଼ ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି । ପୂର୍ବରୁ ମଧ୍ୟ ମେଡ଼ିକାଲ ଅଫିସରଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା । ମେଡ଼ିକାଲର ସରକାରୀ ଗାଡ଼ିକୁ ଅପବ୍ୟବହାର କରିବା ଏବଂ ଅନ୍ୟମାନଙ୍କୁ ଲାଞ୍ଚ ମାଗୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।

Share this post with your friends

Prev Post Next Post