Breaking News

ୟୁଟ୍ୟୁବରେ ବିଧାୟକଙ୍କୁ ଆକ୍ଷେପ କରିବା ପଡିଲା ମହଙ୍ଗା, ଯୁବକ ଗିରଫ

 

ୟୁଟ୍ୟୁବରେ ବିଧାୟକଙ୍କ ବିରୋଧରେ ଆପତ୍ତିଜଣକ ମନ୍ତବ୍ୟ ଦେବା ଯୁବକଙ୍କୁ ମହଙ୍ଗା ପଡିଛି |ସୋଶାଲ ମିଡିଆରେ ଯାଜପୁର ଜିଲ୍ଲା ଧର୍ମଶାଳ ବିଧାୟକ ହିଂମାଶୁ ଶେଖର ସାହୁଙ୍କୁ ଆକ୍ଷେପ କରୁଥିବା ଯୁବକ କୁ ବାନ୍ଧିଛି ପୋଲିସ । ଗିରଫ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲାର ୟୁଟୁବର ଜୟଦେବ ଲେଙ୍କା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଧର୍ମଶାଳା ବିଧାୟଙ୍କ ବିରୋଧରେ ପ୍ରାୟ ୪ ମାସ ହେବ ବାରମ୍ବାର ସୋଶାଲ ମିଡ଼ିଆରେ ଆପତ୍ତିଜଣକ ମନ୍ତବ୍ୟ ପୋଷ୍ଟ କରୁଥିଲେ ଜୟଦେବ । ଏପରିକି ୨ ଦିନ ତଳେ କରିଥିବା ପୋଷ୍ଟରେ ତାଙ୍କୁ ଗିରଫ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ। ଏନେଇ ବିଧାୟକଙ୍କ ସମର୍ଥକ ଗତ ୨୮ ତାରିଖରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। 

ଏହାପରେ ଜୟଦେବଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୋଲିସ ଅଟକ ରଖିଥିବା ବେଳେ ଗତକାଲି ତାଙ୍କୁ ନେବାକୁ ଭୁବନେଶ୍ୱରରେ ପହଞ୍ଚିଥିଲା ଧର୍ମଶାଳା ପୋଲିସ । ଭୁବନେଶ୍ୱରରୁ ଜୟଦେବଙ୍କୁ ଗିରଫ କରି ଧର୍ମଶାଳା ପୋଲିସ ନେଇଥିବା ଜଣାଯାଇଛି। ତେବେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଗିରଫଦାରୀ ପରେ ତାଙ୍କୁ କେଉଁ ଥାନାରେ ରଖାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନି। ଜୟଦେବଙ୍କ ଘର କେନ୍ଦ୍ରାଡ଼ାର ମହାକାଳପଡ଼ା ହୋଇଥିବା ବେଳେ ସେ କ’ଣ ପାଇଁ ଧର୍ମଶାଳା ବିଧାୟକଙ୍କ ବିରୋଧରେ ଆକ୍ଷେପ କରିବା ସହ ତାଙ୍କୁ ଟାର୍ଗେଟ କରୁଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ । ଜୟଦେବଙ୍କ ଫେସ୍‌ବୁକ୍‌ ପେଜ୍‌ରେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କୀତ ଫଟୋ ରହିଛି। ତେଣୁ କାହା ଇଙ୍ଗିତରେ ସେ ଏପରି ପୋଷ୍ଟ କରୁଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Type and hit Enter to search

Close