ଭୁଶୁଡିଲା ୧୫୦ ବର୍ଷ ପୁରୁଣା ବ୍ରିଟିଶ ଯୁଗର ସେତୁ
କାନପୁରରେ ଗଙ୍ଗା ନଦୀ ଉପରେ ନିର୍ମିତ ୧୫୦ ବର୍ଷ ପୁରୁଣା ବ୍ରିଜ୍ ଆଜି ସକାଳୁ ଭୁଶୁଡ଼ି ପଡ଼ିଛି । ଏହା ଉନ୍ନାଓ-କାନପୁରକୁ ସଂଯୋଗ କରୁଥିଲା । ୧୮୭୪ ମସିହାରେ ନିର୍ମିତ ଏହି ସେତୁ ଏକଦା ଲୋକମାନଙ୍କର ଲାଇଫ୍ ଲାଇନ୍ ଥିଲା ଏବଂ ପ୍ରତିଦିନ ହଜାର ହଜାର ଲୋକ ଏହି ସେତୁ ଦେଇ ଯିବାଆସିବା କରୁଥିଲେ । ହେଲେ ସେତୁଟି ଜଜର୍ରିତ ହୋଇପଡ଼ିବାରୁ ୨୦୨୧ରେ ଏହା ଉପରେ ଯାତାୟାତ ବନ୍ଦ କରି ଦିଆଯାଇଥିଲା । ଏହି ସେତୁ ବ୍ରିଟିଶ କାଳରେ ଅଭଦ ଏବଂ ରୋହିଲଖଣ୍ଡ ଲିମିଟେଡ୍ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା । ୮୦୦ ମିଟର ଲମ୍ବ ବିଶିଷ୍ଟ ଏହି ସେତୁକୁ ରେସିଡେଣ୍ଟ୍ ଇଞ୍ଜିନିୟର ଏସ୍.ବି ନ୍ୟୁଟନ୍ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର ଇ. ୱେଡଗାର୍ଡଙ୍କ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଥିଲା ।
ସେତୁର ବୟସ ୧୦୦ ବର୍ଷ ବୋଲି କୁହାଯାଉଥିଲା, କିନ୍ତୁ ଏହା ୧୫୦ ବର୍ଷ ଧରି ଛିଡା ହେବାକୁ ସକ୍ଷମ ହୋଇଥିଲା । ପରେ ଧୀରେ ଧୀରେ ସେତୁ ଜର୍ଜରିତ ହେବାକୁ ଲାଗିଲା । ସେତୁର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ପରେ ୨୦୨୧ ଏପ୍ରିଲ ୫ ମଧ୍ୟରାତ୍ରିରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ସେତୁର କାନପୁର ପାର୍ଶ୍ୱରେ ୨, ୧୦, ୧୭ ଏବଂ ୨୨ ନମ୍ବର କମ୍ପାର୍ଟମେଣ୍ଟରେ ଫାଟ ଦେଖାଦେଇଥିଲା । ଇଞ୍ଜିନିୟରମାନେ ଏକ ଅନୁସନ୍ଧାନ କରି ଏହାକୁ ଯାତାୟାତ ଅନୁପଯୁକ୍ତ ବୋଲି ଘୋଷଣା କରିଥିଲେ । ଏହାପରେ ଉନ୍ନାଓ ଏବଂ କାନପୁର ଆଡ଼କୁ ବ୍ରିଜ ଉପରେ ପ୍ରାଚୀର ନିର୍ମାଣ କରାଯାଇଥିଲା ।