ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୩ରୁ ପ୍ରବଳ ବର୍ଷା ସମ୍ଭାବନା
କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୨୩, ୨୪ ଓ ୨୫ ତାରିଖ ତିନିଦିନ ଉପକୂଳ ଓଡ଼ିଶା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଏପର୍ଯ୍ୟନ୍ତ ବାତ୍ୟା ନେଇ ଶ ସଠିକ କୌଣସି ଆକଳନ କରାଯାଇନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଭଦ୍ରକରେ ପ୍ରବଳ ବର୍ଷାରୁ ଅତି ପ୍ରବଳ ବର୍ଷା ନେଇ ଆଶଙ୍କା କରାଯାଉଛି । ଏହାଛଡ଼ା କଟକ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼, ଗଞ୍ଜାମରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି ।