୫୧ଟି କେନ୍ଦ୍ରରେ ଚାଲିଛି ମାଟ୍ରିକ ଖାତା ଦେଖା, ୧୨ ଦିନ ଭିତରେ ଶେଷ ହେବ ମୂଲ୍ୟାୟନ
ଆଜିଠାରୁ ରାଜ୍ୟରେ ମାଟ୍ରିକ୍ (ଦଶମ) ପରୀକ୍ଷାର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ଏଥିପାଇଁ ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୧୦ଟାରୁ ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଖାତା ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର କ୍ୟାମ୍ପସ ବାହାରକୁ ଯାଇପାରିବେ ନାହିଁ। ଏହାସହ ମୋବାଇଲ୍ ଫୋନ୍ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। କୌଣସି କେନ୍ଦ୍ରରେ ନିୟମ ଭଙ୍ଗାକୁ ଦୃଷ୍ଟିରେ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।
ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିମୁକ୍ତ ଓ ସ୍ୱଚ୍ଛ ରଖିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଏଥିଲାଗି ୧୧,୮୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି, ଯେଉଁମାନେ ଆଜି ସକାଳ ୧୦ଟା ସୁଦ୍ଧା ନିଜ ନିଜ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବେ। ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀମାନେ ଏହି ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ପ୍ରତ୍ୟେକ ମୂଲ୍ୟାୟନ ୟୁନିଟ୍ରେ ଜଣେ ପ୍ରମୁଖ ନିରୀକ୍ଷକ, ଦୁଇ ଉପ-ନିରୀକ୍ଷକ, ଦୁଇ ତଦାରଖକାରୀ ଏବଂ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯାଇଛି। ଏହାସହ ବୋର୍ଡ ପକ୍ଷରୁ ଜଣେ କ୍ୟାମ୍ପ ଅଫିସର ଦାୟିତ୍ୱରେ ରହିଛନ୍ତି।
ଖରାକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କେନ୍ଦ୍ର ଲାଗି ୧୦ରୁ ଅଧିକ ଅତିରିକ୍ତ ମୂଲ୍ୟାୟନକାରୀ ରଖାଯାଇଛି, ଯେଉଁମାନେ ଆବଶ୍ୟକ ସ୍ଥଳେ କାର୍ଯ୍ୟ କରିବେ। ମୂଲ୍ୟାୟନକାରୀମାନେ ସବ୍ଜେକ୍ଟିଭ୍ ପ୍ରଶ୍ନଗୁଡ଼ିକର ନିର୍ଦ୍ଦିଷ୍ଟ ଉତ୍ତର ଆଧାରରେ ଖାତା ମୂଲ୍ୟାୟନ କରିବେ। ପ୍ରତିଦିନ ମୂଲ୍ୟାୟନ ଶେଷ ହେବା ପରେ ନମ୍ବର ଅନ୍ଲାଇନ୍ରେ ଅପ୍ଲୋଡ୍ କରାଯିବ, ଯାହା ପାଇଁ ୩୦୦ରୁ ଅଧିକ ଡାଟା ଏଣ୍ଟ୍ରି ଅପରେଟର ନିୟୋଜିତ ହୋଇଛନ୍ତି। ନମ୍ବର ଏଣ୍ଟ୍ରି ସମୟରେ କୌଣସି ତ୍ରୁଟି ନ ହେବା ପାଇଁ ସତର୍କତା ଅବଲମ୍ବନ କରାଯାଇଛି। ମୂଲ୍ୟାୟନ ପ୍ରକ୍ରିୟା ୧୨ରୁ ୧୫ ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ରାଜ୍ୟରେ ୫,୨୨,୩୩୬ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି।