VRS ନେବେ ସୁଜାତା କାର୍ତ୍ତିକେୟନ, କେନ୍ଦ୍ର ନିକଟରେ ଆବେଦନ କରିଥିବା ସୂଚନା !

 

ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ଆବେଦନ କରିଛନ୍ତି । ସେ ଭିଆରଏସ୍ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ପ୍ରାୟ ୧୫ ଦିନ ତଳେ ସେ କେନ୍ଦ୍ର ନିକଟକୁ ଏହି ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ତାଙ୍କ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି ।   ୨୦୦୦ ବ୍ୟାଚର ଆଇଏଏସ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । ନିର୍ବାଚନ ପରେ ମେ ୩୧ରୁ ପ୍ରଭାବଶାଳୀ ଆଇଏଏସ ଅଧିକାରୀ ତଥା ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଯାଇଥିଲେ । ପିଲାଙ୍କ ପାଠ ପଢ଼ା ପାଇଁ ସେ ଛୁଟିରେ ଯାଇଥିଲେ । ଏହା ପରେ ପୁଣି ଥରେ ଆଉ ୬ ମାସ ଛୁଟି ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲେ ସୁଜାତା। ତାଙ୍କ ଆବେଦନ ଅଗ୍ରାହ୍ୟ କରି ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ଏହା ପରେ ସେ ନଭେମ୍ବର ୨୭ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । 

ବିଜେଡି ସରକାରରେ ସେ ମିଶନ ଶକ୍ତି ବିଭାଗର ସଚିବ ଥିଲେ । କିନ୍ତୁ ଗତ ସାଧାରଣ ନିର୍ବାଚନରେ ନିଜ ପଦର ଦୁରୁପଯୋଗ କରି ମିଶନ ଶକ୍ତିରେ ଥିବା ରାଜ୍ୟର ମହିଳାଙ୍କୁ ବିଜେଡିରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ଆୟୋଗ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ତାଙ୍କୁ ମିଶନ୍ତ ଶକ୍ତି ବିଭାଗରୁ ବଦଳି କରି ଦେଇଥିଲେ। ବିଜେପି ସରକାରକୁ ଆସିବା ମାତ୍ରେ ସୁଜାତା ନିଜ ପିଲାଙ୍କ ଯତ୍ନ ନେବା କାରଣ ଦର୍ଶାଇ ତୁରନ୍ତ ଛଅ ମାସ ଛୁଟିରେ ଯିବାକୁ ଜୁନ ୬ ତାରିଖରେ ଆବେଦନ କରିଥିଲେ । ସେହି ସମୟରେ ପିଛିଲା ଭାବେ ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କ ଛୁଟିକୁ ମଞ୍ଜୁରୀ ଦେଇଥିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା।

Share this post

Previous Post Next Post