Breaking News

ଆସୁଛି ବର୍ଷା, ଖରାରୁ ମିଳିବ ଆଶ୍ବସ୍ତି: ୧୯ରୁ ରାଜ୍ୟରେ ବର୍ଷା ହୋଇପାରେ

 

ଶୀତ ଯାଉଯାଉ ରାଜ୍ୟରେ ଆରମ୍ଭ ହୋଇଗଲାଣି ତାତି । ଫେବ୍ରୁଆରୀ ମାସ ଆରମ୍ଭରୁ ହିଁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ରାଜଧାନୀ ଭୁବନେଶ୍ବରରେ ବି ତାତି ଏବେଠୁ ହିଁ ଡରାଇଲାଣି । ଏହାରି ମଧ୍ୟରେ ଆଶ୍ବସ୍ତିକର ଖବର ଆସିଛି । ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ରେ ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜ ସମେତ କେନ୍ଦୁଝର ଏବଂ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ୩ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ବିଭାଗ। ସେହିଭଳି ୨ ଦିନ ପରେ ରାତି ତାପମାତ୍ରା ମଧ୍ୟ ୨ ରୁ ୩ ଡିଗ୍ରୀ ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି ଅନୁଗୁଳରେ ଦିନ ତାପମାତ୍ରା ସର୍ବାଧିକ ୩୪.୭ ଡିଗ୍ରୀ ରେକର୍ଡ ହୋଇଥିଲା । ଖୋର୍ଦ୍ଧାରେ ୩୪.୫ ଡିଗ୍ରୀ,ଝାରସୁଗୁଡ଼ାରେ ୩୪.୨, ବୌଦ୍ଧରେ ୩୩.୫, ଭବାନୀପାଟଣା ଓ ନୟାଗଡ଼ରେ ୩୩ ଡିଗ୍ରୀ ରେକର୍ଡ ହୋଇଥିଲା । ରାଉରକେଲାରେ ରାତି ତାପମାତ୍ରା ସବୁଠୁ କମ୍‌ ବା ୯.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୧୦.୨, ଫୁଲବାଣୀରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, କେନ୍ଦୁଝରରେ ୧୩.୮ ଡିଗ୍ରୀ ରହିଥିଲା ।

Type and hit Enter to search

Close