ପୁଲୱାମା ଆକ୍ରମଣ: ଦେଶ ହରାଇଥିଲା ୪୦ ବୀରପୁତ୍ର, ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ

 

୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ଏବେ ୬ ବର୍ଷ ପରେ ମଧ୍ୟ ସେହି ଘଟଣାର କଥା ଉଠିଲେ ମନ ସ୍ତବ୍ଧ ହୋଇଯାଏ। ବୁଧବାର ପୁଲୱାମା ଆକ୍ରମଣକୁ ୬ ବର୍ଷ ପୂରିବା ଅବସରରେ ସାରା ଦେଶବାସୀ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ସେମାନଙ୍କ ସ୍ମୃତିଚାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନେ ଚିର ସ୍ମରଣୀୟ ରହିବେ ବୋଲି କହିଛନ୍ତି।

ଘଟଣାଟି ଥିଲା ଏମିତି…

ସିଆରପିଏଫ୍ ଯବାନଙ୍କ ଏକ ବଡ଼ କନଭୟ ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଜମ୍ମୁରୁ ଶ୍ରୀନଗରକୁ ଯାଉଥିଲା। ଏଥିରେ ୭୮ଟି ବସରେ ପ୍ରାୟ ୨,୫୦୦ ଯବାନ ଥିଲେ। ଏହି କନଭୟ ପୁଲୱାମା ଦେଇ ଯାଉଥିବାବେଳେ ଏକ ବିସ୍ଫୋରକ ଭର୍ତ୍ତି କାର ଏକ ବସ ସହ ଧକ୍କା ହୋଇଥିଲା। ପ୍ରାୟ ୮୦ କିଲୋ ଆରଡିଏକ୍ସ ସହ କାର ଚଲାଉଥିବା ଆଦିଲ୍‌ ଅହମଦ୍‌ ଦାର୍‌ ନାମକ ଆତଙ୍କବାଦୀ ଏହି ଆତ୍ମଘାତୀ ବିସ୍ଫୋରଣ କରିଥିଲା।

ଏହି ଆତଙ୍କବାଦ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ଯବାନଙ୍କ ଭିତରେ ଦୁଇ ଜଣ ଓଡ଼ିଆ ମଧ୍ୟ ଥିଲେ। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗାଁର ମନୋଜ କୁମାର ବେହେରା।

ଏହାର ଜବାବରେ ଭାରତୀୟ ବାୟୁ ସେନା ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ଏହି ଏୟାର ଷ୍ଟ୍ରାଇକ୍ କରି ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ।

Share this post

Previous Post Next Post