ମୋ ବସ୍ ଦୁର୍ଘଟଣା ମାମଲା: ଝିଅ ପରେ ମା'ର ମୃତ୍ୟୁ

 

ଗତ ଶୁକ୍ରବାର ଭୁବନେଶ୍ୱର ପାତ୍ରପଡ଼ା ଛକରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ରାଜକୁମାରୀ ପ୍ରଧାନଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପୂର୍ବରୁ ଦୁର୍ଘଟଣା ସ୍ଥଳରେ ଝିଅ ନନ୍ଦିନୀର ମୃତ୍ୟୁ ଘଟିଥିଲା । ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଚାଳନା ଯୋଗୁ କଳିଙ୍ଗବିହାରରେ ରହୁଥିବା ନନ୍ଦିନୀ ପ୍ରଧାନଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ତାଙ୍କ ଭାଇ ବିଦ୍ୟାସାଗର ପ୍ରଧାନଙ୍କ ସମେତ ଅନ୍ୟ ତିନି ଜଣ ଆହତ ହୋଇଥିଲେ । 

ସୂଚନା ଅନୁଯାୟୀ ନନ୍ଦିନୀ ଓ ତାଙ୍କ ଭାଇ ବିଦ୍ୟାସାଗର ସେମାନଙ୍କ ବୃଦ୍ଧା ମା’ ରାଜକୁମାରୀଙ୍କୁ ଫୁଲବାଣୀ ବସ୍ ରେ ବସାଇବାକୁ ଆସିଥିଲେ ।  ସେମାନେ ପାତ୍ରପଡ଼ା ଛକରେ ବସ୍ କୁ   ଅପେକ୍ଷା କରିଥିଲେ ।  ସେଠାରେ ଅନ୍ୟ ଜଣେ ମହିଳା ଆଞ୍ଜେଲିନା ନାୟକ, ତାଙ୍କ ସ୍ବାମୀ ସତ୍ୟବାନ ନାୟକ ଓ ଜୋଇଁ ସିକେନ୍ଦ୍ର ପରିଚ୍ଛା ମଧ୍ୟ ଫୁଲବାଣୀ ବସ୍ କୁ ଅପେକ୍ଷା କରିଥିଲେ। ଠିକ ସେହି ସମୟରେ ଦ୍ରୁତ ବେଗରେ ମାଡିଆସିଥିଲା ମୋ ବସ୍ ଏବଂ ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ିଗଲା। ଥୁଆହୋଇଥିବା ତିନି ତିନିଟି ଗାଡ଼ିକୁ ଭାଙ୍ଗି ଚୁରମାର କରିବା ସହ ନନ୍ଦିନୀଙ୍କୁ ଘୋଷାରି ନେଲା। ସେହିଭଳି ଅନ୍ୟ ତିନିଜଣ ମଧ୍ୟ ବସ୍ ଧକ୍କାରେ ଗୁରୁତର ହୋଇପଡ଼ିଥିଲେ। କିନ୍ତୁ ନନ୍ଦିନୀଙ୍କ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ନନ୍ଦିନୀଙ୍କ ମା ରାଜକୁମାରୀଙ୍କ ଗୁରୁତର ଆହତ ହୋଇଥିଲେ । 

ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବା ପରେ ରୁଣ୍ଡ ହୋଇଥିବା ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ମୋ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ହେବାକୁ ବସିଥିବା ଦେଖି ଲୋକମାନେ  ଗୋଡ଼ାଇଥିଲେ। ବସ୍ ଚାଳକ ପ୍ରଶାନ୍ତ ଛୋଟରାୟ ଜୀବନ ବିକଳରେ ଗାଡ଼ିର ବେଗ ବଢ଼ାଇ ଖୋର୍ଦ୍ଧା ଦିଗରେ ପଳାଇଥିଲା। ପାଖାପାଖି ୨୦ ରୁ ଅଧିକ ବାଇକ୍ ଚାଲାକ ତାକୁ ଗୋଡ଼ାଇ ଥିଲେ । ତଳଖେତା ଛକରୁ ବସ୍ ଟି  ମୋଡ଼ ବଦଳାଇ ତମାଣ୍ଡୋ ଦିଗରେ ଆସିଥିଲା ଏବଂ ତମାଣ୍ଡୋ ଥାନା ନିକଟରେ ଅଟକି ଥିଲା। ପିଛା କରୁଥିବା ଲୋକେ ତାକୁ ବହେ ଛେଚିଥିଲେ ଏବଂ ବସ୍ ଟିକୁ  ଭଙ୍ଗାରୁଜା କରିଥିଲେ। ପୁଲିସ ଘଟଣା ସ୍ଥଳରୁ ବହୁ କଷ୍ଟରେ ଡ୍ରାଇଭର ପ୍ରଶାନ୍ତକୁ ଉଦ୍ଧାର କରିଥିଲା।

Share this post

Previous Post Next Post