କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ତତ୍କାଳୀନ ସରକାରଙ୍କ ଅର୍ଥ ବିଭାଗର ଅବହେଳା ...!

ବ୍ରହ୍ମପୁର, ୧୨/୧ (ଅଭିଜିତ କର): ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍ କ୍ରାଇଟେରିଆ କଲେଜ କର୍ମଚାରୀ ମାନଙ୍କୁ ନେଇ ଏକ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାଧା ମାଧବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ଯ ସଂଘ ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେର, ମୁଖ୍ଯବକ୍ତା ରୂପେ ରାଜ୍ଯ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ବଲ୍ଳଭ ସାମନ୍ତ, ସମ୍ମାନୀତ ଅତିଥି ଭାବେ ରାଜ୍ଯ ଉପ ସଭାପତି ଡା ସିଏଚ. ସୁଧାକର, ରାଜ୍ୟ କୋଷାଧକ୍ଷ ଡା ସଂଜୀବ ଦାସ, ଡା ପ୍ରସନ୍ନ କୁମାର ବିଶୋୟୀ, ଶ୍ରୀ ଦେବରାଜ ବଳିଆର ସିଂହ, ଭଗବାନ ବିଷୋୟୀ ପ୍ରମୂଖ ଯୋଗଦାନ କରିଥିଲେ । ଏଥିରେ ଜିଲ୍ଲା ଉପ ସଭାପତି ଅକ୍ଷୟ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଆଚାର୍ଯ୍ଯ ଏହି ବୈଠକର ଉଦ୍ଦେଶ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ । 

ଉକ୍ତ ବୈଠକରେ ଅତିଥି ମାନେ ନିଜର ଅଭିଭାଷଣରେ ୩୯୧ ବ୍ଲକ୍ କ୍ରାଇଟେରିଆ କଲେଜ ସଂଘର ଏକମାତ୍ର ଦାବୀ - ୧୯୯୪ ଅନୁଦାନ ନୀତି ଅନୁଯାୟୀ ରାଜ୍ୟର ସମସ୍ତ ୩୯୧ ବ୍ଲକ୍ କ୍ରାଇଟେରିଆ କଲେଜ ଗୁଡିକୁ (ପ୍ରତି ବ୍ଲକର ପ୍ରଥମ ଓ ଦ୍ଵିତୀୟ କନିଷ୍ଠ ମହାବିଦ୍ୟାଳୟ ଓ ପ୍ରଥମ ଡିଗ୍ରୀ ମହାବିଦ୍ୟାଳୟ, ରେଭେନ୍ୟୁ ସବ୍ ଡିଭିଜନର ପ୍ରଥମ ମହିଳା ମହାବିଦ୍ୟାଳୟ, ସହରାଞ୍ଚଳର ପ୍ରତି ପଚାଶ ହଜାର ଜନସଂଖ୍ୟାରେ ଗୋଟିଏ କନିଷ୍ଠ ଓ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଗୋଟିଏ ଡିଗ୍ରୀ ମହାବିଦ୍ୟାଳୟ) ପ୍ରତ୍ୟକ୍ଷ ଅନୁଦାନ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ଅନୁମୋଦନ ସହିତ ପ୍ରସ୍ତାବିତ ଫାଇଲକୁ ଅର୍ଥ ବିଭାଗ ମଞ୍ଜୁରୀ ଦେବା ସକାସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ସହ ଦାବୀ ଉପସ୍ଥାପନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ସର୍ବଶ୍ରୀ ଦୁର୍ଗା ପ୍ରସନ୍ନ ସାହୁ, ସତ୍ୟ ନାରାୟଣ ସେନାପତି, ଶିବାନନ୍ଦ ପାଣିଗ୍ରାହୀ, ହୃଷୀକେଶ ମିଶ୍ର, ଏ. ଦୁର୍ଯ୍ୟୋଧନ, ଡା ସୁଧାଂଶୁ ଶେଖର ସାହୁ, ଅଭିରାମ ସାହୁ, ଦିବାକର ବେହେରା, ସୀମାଞ୍ଚଳ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ସମେତ ଅନ୍ୟ ବହୁ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରୁ ପ୍ରାୟ ୨ଶହରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିବା ବେଳେ, ସଭାକାର୍ଯ୍ୟ ଶେଷରେ ଅଧ୍ୟାପକ ଶ୍ରୀ ଉମେଶଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Share this post

Previous Post Next Post