ଆଜିଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ । ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବ ASI । ଆସନ୍ତା ୧୩ ତାରିଖରେ ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ୧୪ ତାରିଖରେ ମକର ସଂକ୍ରାନ୍ତି ଥିବାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖିବା ନେଇ ସମାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆସନ୍ତା ୧୬ ତାରିଖରୁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପୁର୍ନବାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ ।
ସେପଟେ ଆସନ୍ତା ୨୦ ତାରିଖରେ ହେବ ନାହିଁ ନାଟମଣ୍ଡପର ୬ ଥାକିଆ ଧାଡି ଦର୍ଶନ । ନାଟମଣ୍ଡପରେ କିଛି ହୁଣ୍ଡି ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେସବୁକୁ ଅପସାରଣ କରାଯିବ । ଏହାପରେ ନାଟମଣ୍ଡପରେ ଭକ୍ତଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ । ତେଣୁ ଖୁବଶୀଘ୍ର ପରିଚାଳନା କମିଟି ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପରିଚାଳନା କମିଟି ଗଠନ ହେବା ପରେ କମିଟିର ସୁପାରିଶ ଅନୁସାରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ସୁବିଧା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
Social Footer