ପୌରାଣୀକ ନାଟକରେ ଅଶ୍ଳୀଳ ନୃତ୍ୟ, ଜୀବଜନ୍ତୁ ହତ୍ୟାକୁ ଦୃଢ ନିନ୍ଦା
• ଚିତ୍ରାଳୟ ମାଲିକ ମହାସଂଘର ବାର୍ଷିକ ଉତ୍ସବ ଓ ପିତା ମୋ ସ୍ୱର୍ଗ ମଞ୍ଚସ୍ଥ
ବ୍ରହ୍ମପୁର, ୮/୧(ଅଭିଜିତ କର): ସ୍ଥାନୀୟ ଗୋସାଇଁନୂଆଗାଁ ସ୍ଥିତ ଗୋପାଳକୃଷ୍ଣ ରଙ୍ଗମଞ୍ଚ ଠାରେ ଓଡିଶା ଚିତ୍ରାଳୟ ମାଲିକ ମହାସଂଘ ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମହସଂଘ ଅଧ୍ୟକ୍ଷ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଂଜାମ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ସମନ୍ତରା, ନୟାଗଡ ଶାଖା ସଭାପତି ଭୀମସେନ ବେହେରା, ଉପଦେଷ୍ଟା ବିଜୟ କୁମାର ସାହୁ ଓ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ଧ୍ରୁବ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ଏଥିରେ ମହାସଂଘ ସଚିବ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ, ମହାସଂଘ ଅଧ୍ୟକ୍ଷ ନାରାୟଣ ସାହୁ ସଂଘର ଉନ୍ନତି ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ଶ୍ରୀ ସାମନ୍ତରା ନିଜ ବକ୍ତବ୍ୟରେ ପୌରାଣୀକ ନାଟକରେ ଅଶ୍ଳୀଳ ନୃତ୍ୟ, ଜୀବଜନ୍ତୁ ହତ୍ୟାକୁ ଦୃଢ ନିନ୍ଦା କରିଥିଲେ । ପରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତିରେ ନୂତନ ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା । ଶେଷରେ ଧ୍ରୁବ କୁମାର ପ୍ରଧାନ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ସଂଘର ସାନ୍ଧ୍ୟ ଅଧିବେଶନ ସଭାପତି ଶ୍ରୀ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ବରିଷ୍ଠ କଳାକାର ସଂଘ ସଭାପତି ଡ.ତିରୁପତି ସାହୁ ଯୋଗଦାନ କରିଥିବା ବେଳେ, ନାଟ୍ୟ ନିର୍ଦ୍ଦେଶକ କୁରେଶୁ ପାତ୍ର, ଅନୀଲ କୁମାର ପାତ୍ର, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଚିତ୍ରାଳୟ ନାଟ୍ୟ ସଂସ୍ଥାରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଲିଙ୍ଗରାଜ ନାହାକଙ୍କ ଦ୍ଵାରା ଲିଖିତ ଓ ନାଟ୍ୟ ପ୍ରଦୀପ ମଦନ ମିଶ୍ରଙ୍କ ନାଟକ, "ପିତା ମୋ ସ୍ଵର୍ଗ' ମଞ୍ଚସ୍ଥ ହେଉଥିଲା । ଉକ୍ତ ନାଟକରେ ପ୍ରଭାକାନ୍ତ, ରାଧାକାନ୍ତ, ବଳରାମ ଓ ସସ୍ମିତା ରାଣୀ ପ୍ରମୁଖ ଅଭିନୟ କରିଥିବା ବେଳେ, ସନ୍ତୋଷ ସଂଗୀତ ପରିବେଷଣ ଏବଂ ଧ୍ରୁବ କୁମାର ପ୍ରଧନ ଓ ଗୀତା ସ୍ଵାଇଁ ପରିଚାଳନାରେ ସହଯୋଗ କରିଥିଲେ ।