ଛତିଶଗଡ଼ ବାଲୋଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୋଟିଏ କାର ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଦ୍ୱାରା ୬ ଜଣଙ୍କର ଜୀବନ ଯାଇଥିବାବେଳେ ପ୍ରାୟ ୭ ଜଣ ଗୁରୁତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଅଛନ୍ତି । କାରରେ ପ୍ରାୟ ୧୩ ଜଣ ଯାତ୍ରା କରୁଥିଲେ ବୋଲି ପ୍ରାଥମିକ ସୂଚନା ହସ୍ତଗତ ହୋଇଥିବା ।
ରବିବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଗୁଣ୍ଡେଇର୍ଦେହି ଗ୍ରାମର ୧୩ ଜଣ ସମ୍ପର୍କୀୟଙ୍କ ଘରୁ ଏକ କାର୍ୟ୍ୟକ୍ରମ ସାରି ଏକ ଏସୟୁଭି କାରରେ ଘରକୁ ଫେରୁଥିଲେ । ଡୋଣ୍ଡି ଥାନା ଅଞ୍ଚଳରେ ଭାନୁପ୍ରତାପପୁର-ଦଲ୍ଲି ରାଝରା ରାସ୍ତାରେ କାରକୁ ଗୋଟିଏ ଟ୍ରକ୍ ଧକ୍କା ଦେଇଥିଲା ।
ଫଳରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ମୃତକମାନେ ହେଲେ ଦୁର୍ପତ ପ୍ରଜାପତି (୩୦), ସୁମିତ୍ରା ବାଇ କୁମ୍ଭକାର (୫୦), ମନିସା କୁମ୍ଭକାର (୩୫), ସଗୁନ ବାଇ କୁମ୍ଭକାର (୫୦), ଇମ୍ଲା ବାଇ (୫୫) ଏବଂ ଜିଗ୍ନେଶ କୁମ୍ଭକାର (୭) ।
ଖବର ପାଇ ପୁଲିସ ଦୁର୍ଘଟଣା ସ୍ଥଳରେ ପହଁଚିଥିଲା । ସ୍ଥାନୀୟ ଲୋକେ ଏବଂ ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଗୁରୁତର ୭ ଜଣଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ହେବାରୁ ରାଜନନ୍ଦଗାଁଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କାରର ଚାଳକ ଜଣକ କାର ଭିତରେ ଅନେକ ସମୟ ଧରି ଫସି ରହିଥିଲେ । ପୁଲିସ ଏବଂ ସ୍ଥାନୀୟ ଲୋକେ ବହୁତ କଷ୍ଟରେ ତାଙ୍କୁ ଉଦ୍ଧାର କରିଛନ୍ତି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
Social Footer