ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସିକ୍ୟୁରିଟି ଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଫଳରେ ଘଟଣା ସ୍ଥଳରେ ହିଁ ପ୍ରାଣ ବାୟୁ ଉଡ଼ିଯାଇଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବଘଲା ବଜାରରେ । ମୃତକ ଜଣକ ହେଲେ ବଘଲା ଗ୍ରାମର ସିଦ୍ଧାନ୍ତ ପ୍ରଧାନ (୨୨)। ବଘଲା ଗ୍ରାମର ସିଦ୍ଧାନ୍ତ ପ୍ରଧାନ ରାଧିକା ଅଳଙ୍କାର ଦୋକାନରେ ରାତ୍ରି ଜଗୁଆଳୀ ଭାବେ କାମ କରନ୍ତି । ପ୍ରତିଦିନ ଭଳି କାଲି ମଧ୍ୟ ସେ ଡ୍ୟୁଟିରେ ଥିଲେ । ହେଲେ କିଏ ଜାଣିଥିଲା ଏହି ରାତି ତାଙ୍କ ପାଇଁ ଶେଷ କାଳ ରାତି ହେବ ବୋଲି । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଦୋକାନ ସମ୍ମୁଖରେ ଡ୍ୟୁଟି କରୁଥିଲେ । ସେହି ବାଟ ଦେଇ ଯାଉଥିବା ମାଲବାହି ଟ୍ରକ୍ ହଠାତ୍ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା । ଆଉ ତାଙ୍କୁ ଦଳି ମକଚି ଚାଲି ଯାଇଥିଲା । ଏମିତିକି ସେଠାରେ ଥିବା ବିଦ୍ୟୁତ ଖୁଣ୍ଟିକୁ ମଧ୍ୟ ଭାଙ୍ଗି ଦେଇଥିଲା ଟ୍ରକ ।
ଏହି ସମୟରେ ଦୋକାନରେ କାର୍ଯ୍ୟରତ ଅନ୍ୟ ସିକ୍ୟୁରିଟି ଗାର୍ଡ ଏକ ଭୟଙ୍କର ଶବ୍ଦ ଶୁଣି ଧାଇଁ ଆସିଥିଲେ । ମାତ୍ର ସେତେବେଳକୁ ସବୁକିଛି ସରି ଯାଇଥିଲା । ସିଦ୍ଧାନ୍ତଙ୍କର କ୍ଷତ ବିକ୍ଷତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଉପସ୍ଥିତ ଲୋକମାନେ ଟ୍ରକକୁ ଜବତ କରିବା ସହିତ ଚାଳକଙ୍କୁ ମଧ୍ୟ କାବୁ କରି ନେଇଥିଲେ । ଡ୍ରାଇଭର ଜଣକ ହେଲେ ବିହାରର ଅଙ୍କିତ କୁମାର ପାଣ୍ଡେ । ସେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଜଣାପଡ଼ିଛି । ଏହା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି । ତେବେ ମୃତ ସିଦ୍ଧାନ୍ତଙ୍କର ବୃଦ୍ଧ ବାପା ମାଆ ଅଛନ୍ତି । ତେଣୁ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବାକୁ ଦାବି କରାଯାଇଛି । ପୁଲିସ ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ଯାଞ୍ଚ କରୁଛି ।
Social Footer