Breaking News

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ଏକ ଐତିହାସିକ ନିଷ୍ପତି - ପୀତବାସ ପଣ୍ଡା

 

ବ୍ରହ୍ମପୁର, ୩/୧୨: ଗତକାଲି ରାଜ୍ୟ ବିଧାନସଭାରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଉଦ୍ୟମକୁ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ଶ୍ରୀ ପୀତବାସ ପଣ୍ଡା ସ୍ବାଗତ କରିଛନ୍ତି । ଏହି ବିକାଶ ପରିଷଦର ରୂପ ରେଖା କିପରି ହେବ ତିରିଶ ଦିନ ମଧ୍ୟରେ ଟାକ୍ସଫୋର୍ସ ସରକାରଙ୍କୁ ରିପୋର୍ଟ ଦେବେ । ଏହା ପରେ ସମାଜର ବିଭିନ୍ନ ବର୍ଗର ସୁପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଥିରେ ସାମିଲ ହେବେ । ସ୍ୱର୍ଗତ ଇଞ୍ଜିନିୟର ଦୟାନିଧି ସାହୁ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାୟର ପ୍ରାକ୍ତନ ପ୍ରଫେସର ସ୍ୱର୍ଗତ ପ୍ରହଲ୍ଲାଦ ପଣ୍ଡାଙ୍କ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଦୀର୍ଘ ଦିନର ଦାବୀକୁ ବିଜେପି ସରକାର ସଫଳ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ପଣ୍ଡା ଆଶା କରିଛନ୍ତି ଯେ, ଦୀର୍ଘ ଦିନ ଧରି ଅବହେଳିତ ଓ ପଛୁଆ ରହିଥିବା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ମୋହନ ସରକାରଙ୍କ ଏହି ନିଷ୍ପତି ଫଳରେ ଉପକୃତ ହେବେ। 

ଓଡ଼ିଶା ସରକାରଙ୍କର ରାଜସ୍ବକୁ ସିଂହ ଭାଗ ଦେଉଥିବା ଦକ୍ଷିଣ ଓଡ଼ିଶା ସବୁବେଳେ ବିଭିନ୍ନ ସରକାରଙ୍କ ଦ୍ଵାରା ଅବହେଳିତ ହୋଇ ଆସିଛି । ଦକ୍ଷିଣ ଓଡ଼ିଶାର କଳା , ସଂସ୍କୃତି, ସାହିତ୍ୟ ଓ ଖଣିଜ ସଂପଦ ରାଜ୍ୟର ସମ୍ମାନକୁ ଯଥେଷ୍ଟ ବୃଦ୍ଧି କରିଛି । ଅତଏବ ପରିଷଦ ଗଠନ ହେଲେ ଦକ୍ଷିଣ ଓଡ଼ିଶା ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ ପାଇବା ସହ ଏହି ଅଞ୍ଚଳ ନିଜର ନିଜସ୍ଵ ପରିଚୟ ସୃଷ୍ଟି କରିପାରିବ ।ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ମାନ୍ୟବର ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଉଦ୍ୟମକୁ ମଧ୍ୟ ଶ୍ରୀ ପଣ୍ଡା ପ୍ରଶଂସା କରିଛନ୍ତି । ଦକ୍ଷିଣାଞ୍ଚଳ ବିକାଶ ପରିଷଦ ଗଠନ ହେଲେ ଏହି ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନର ମାନ ବୃଦ୍ଧି କରିବାରେ ବିକାଶ ପରିଷଦ ସହାୟକ ହେବ ଓ ଲୋକଙ୍କର ଜୀବନ ଧାରଣର ମାନ ବୃଦ୍ଧି ଘଟିବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ଆଶା କରିଛନ୍ତି।

Type and hit Enter to search

Close