ଆରମ୍ଭ ହେଲା ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୁପା ଛାଉଣୀ କାମ
ଆରମ୍ଭ ହେଲା ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ରୁପା ଛାଉଣୀ କାମ। କେବଳ ସିଂହଦ୍ୱାର ଗୁମୁଟ ନୁହେ ରତ୍ନଭଣ୍ଡାରକୁ ଜଗି ରହିଥିବା ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ଵାର, ପ୍ରଭା ଓ ଖିଲଣ ବି ରୁପାର ହେବ । ୬ ଫୁଟ୍ ଉଚ୍ଚ ଓ ସାଢେ ତିନି ଫୁଟ ଚଉଡ଼ାର ଏହି ଦ୍ଵାର ନୂଆ ସୌନ୍ଦର୍ଯ୍ୟ ପାଇବ । ଆସନ୍ତା ଦୁଇ ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ଲକ୍ଷ ରହିଛି । ସେହିପରି ମଦନ ମୋହନ, ଶ୍ରୀଦେବୀ ଭୂଦେବୀଙ୍କ ସମେତ ଦୋଳଗୋବିନ୍ଦ ଆଦି ଠାକୁରଙ୍କ ୭ଟି ପ୍ରଭାକୁ ରୂପା ଛାଉଣୀ କରିବାକୁ ପ୍ରସ୍ତୁତି ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ । ରୁପା ଛାଉଣୀ କାମକୁ ସବୁ ମହଲରେ ସ୍ଵାଗତ କରାଯାଇଛି ।
ସିଂହଦ୍ୱାର ଭଳି ଅନ୍ୟ ତିନି ଦ୍ଵାର ମଧ୍ୟ ରୁପା ଛାଉଣୀ କରିବାକୁ ଦାବି କରିଛନ୍ତି ସେବାୟତ । ସେପଟେ ଆଉ ଦିନ କେଇଟା ପରେ ଇଂରାଜୀ ନୂଆବର୍ଷ । ଏବେଠୁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି ଚହଳି। ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପୁରୀ ଆସି ନୂଆବର୍ଷ ମନାଇବାକୁ ପ୍ରସ୍ତତି କରିଛନ୍ତି। ସେପଟେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି ।