ଅବପାତରେ ପରିଣତ ହେଲା ଲଘୁଚାପ: ରାଜ୍ୟରେ ଲାଗି ରହିଛି ବର୍ଷା, ଚିନ୍ତାରେ ଚାଷୀ

 

କୋହଲା ପାଗ ସାଙ୍ଗକୁ ସାରା ରାଜ୍ଯରେ ଲାଗିରହିଛି ଝିପିଝିପି ବର୍ଷା । ଫଳରେ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି । ସେପଟେ ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଅବପାତ ପ୍ରଭାବରେ ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେପଟେ ଗତକାଲି ପରି ଆଜି ସକାଳୁ ମଧ୍ୟ ଟ୍ଵିନ ସିଟିରେ ଝିପି ଝିପି ବର୍ଷା ଲାଗି ରହିଛି ।

ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠୁ ଲାଗି ରହିଛି ବର୍ଷା। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 

ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏଥିସହ ଅନ୍ୟ ସ୍ଥାନରେ ପାଗ ମେଘୁଆ ରହିବା ସହ କୋହଲା ପବନ ବହିବ ।

ଆସନ୍ତା ୨ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୨ରୁ ୪ ଡିଗ୍ରୀକୁ ପାରଦ କମିବା ସହ ଶୀତର ପ୍ରଭାବ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଧାନ ଅମଳ ସମୟରେ ଅଦିନିଆ ବର୍ଷାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ଧାନ କଞ୍ଚା ଥିଲେ ମଧ୍ଯ କାଟି ନେଇ ଖଳାକୁ ନେଇଯାଉଛନ୍ତି ଚାଷୀ ।

Share this post with your friends

Prev Post Next Post