ପୁଣି ମହଙ୍ଗା ହୋଇପାରେ ବିଦ୍ୟୁତ୍ ବିଲ୍‌

 

୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଆସନ୍ତା ଆର୍ଥିକ ବର୍ଷଠାରୁ ଗ୍ରିଡ୍‌କୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)କୁ ପ୍ରସ୍ତାବ ଦିଆଯାଇଛି। ଗ୍ରିଡକୋ ଦର୍ଶାଇଛି ଯେ, ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ୍ ବିକ୍ରି କରିବାକୁ ଯୋଜନା ରହିଛି। ପୂରା ବିଦ୍ୟୁତ୍ କିଣାବିକା ଓ ନିଜର ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ପାଖାପାଖି ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ। ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଭରଣା ହେବ। ଗ୍ରିଡକୋ ଆହୁରି କହିଛି ଯେ, ରିଟର୍ଣ୍ଣ ଅନ୍ ଇକ୍ବିଟିକୁ ବାଦ୍ ଦିଆଗଲେ ୧୪ ହଜାର ୮୨୦ କୋଟି ଟଙ୍କା ଆବଶ୍ୟକ ହେବ। ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୮୨ ପଇସାରୁ କମ୍ ହେଲେ ଗ୍ରିଡକୋ କ୍ଷତି ସହିବ। ୨୦୨୫-୨୬ରେ ଗ୍ରିଡକୋ ପ୍ରସ୍ତାବକୁ ଯଦି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ମାନିନିଅନ୍ତି, ତେବେ ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବଢ଼ିବ। 

ଆବଣ୍ଟନ କମ୍ପାନୀଙ୍କ ଖର୍ଚ୍ଚ ଆଦି ମିଶାଇଲେ ବିଦ୍ୟୁତ୍ ମୂଲ୍ୟ ଆହୁରି ବଢ଼ିପାରେ। ଗ୍ରିଡ୍‌କୋର ପ୍ରସ୍ତାବକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ବିରୋଧ କରିଛି। ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଓ ଆବାହକ ରବି ବେହେରା ଏକ ମିଳିତ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ। ନିଜର ପରିଚାଳନାଗତ ଅପାରଗତା, ସରବରାହ ଜନିତ କ୍ଷତି ଓ ବିଜୁଳି ଚୋରିକୁ ରୋକିବାରେ ବ୍ୟର୍ଥ ଗ୍ରିଡକୋ ଓ ଓପିଟିସିଏଲ୍ ଏବଂ ବିଭିନ୍ନ ବିଜୁଳି ଆବଣ୍ଟନ କମ୍ପାନୀମାନେ ସଲାସୁତୁରା ହୋଇ ଗ୍ରାହକଙ୍କ ଉପରେ ଶୁଳ୍କ ବୃଦ୍ଧି ଲଦିବାକୁ ଯାଉଛନ୍ତି। ତୁରନ୍ତ ସରକାର ବିଜୁଳି କମ୍ପାନୀମାନଙ୍କ ଏହି ଶୋଷଣ ଓ ଜନବିରୋଧୀ ନୀତି ଉପରେ ହସ୍ତକ୍ଷେପ କରିବାକୁ ମହାସଂଘ ଦାବି କରିଛି। ବିଜୁଳି କମ୍ପାନୀଙ୍କ ଏହି ଖାଉଟି ମାରଣ ନୀତି ବିରୋଧରେ ସରକାର ଯଦି ନିରବ ରୁହନ୍ତି, ତା’ହେଲେ ଆଗାମୀ ଦିନରେ ଜନଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାଇ ଦିଆଯାଇଛି।

Share this post with your friends

Prev Post Next Post