ବ୍ରହ୍ମପୁର ୫/୧୨ (ଅଭିଜିତ କର): ଆସନ୍ତା ଜାନୁୟାରୀ ମାସରେ ଅନୁଷ୍ଠିତ ହେବ ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ରହ୍ମପୁର ମହୋତ୍ସବ । ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ସମାଜସେବା ଅନୁଷ୍ଠାନ ମହାନ୍ ସଙ୍ଘ ପକ୍ଷରୁ ବହୁବର୍ଷ ଧରି ଆୟୋଜନ ହୋଇ ଆସୁଥିବା ଏହି ମହୋତ୍ସବ ଚଳିତ ବର୍ଷରେ ଅନୁଷ୍ଠିତ ହେବା ନେଇ ଜନ ସାଧାରଣଙ୍କ ଅନୁରୋଧ ରହିଥିଲା । ଏହି କ୍ରମେ ଦୀର୍ଘ ଆଠ ବର୍ଷ ବ୍ୟବଧାନରେ ଆସନ୍ତା ଜାନୁୟାରୀ ମାସ ଜାତୀୟ ଯୁବ ସପ୍ତାହ ଅବସରରେ ୧୧ ତାରିଖ ଠାରୁ ୧୬ତାରିଖ ମଧ୍ୟରେ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ ଆୟୋଜନ କରାଯିବା ନେଇ ସୂଚନା ଦିଆଯାଇଛି। ତେବେ ୬ ଦିନ ବ୍ୟାପୀ ଆୟୋଜିତ ହେବାକୁଥିବା ଏହି ମହୋତ୍ସବରେ କୁଟୀରଶିଳ୍ପ, ଶିକ୍ଷାନୁଷ୍ଠାନ, ପ୍ରକାଶକ, ସରକାରଙ୍କ ବିଭିନ୍ନ ବିଭାଗ ସହ ରାଜ୍ୟ ବାହାରର ବିଭିନ୍ନ ଷ୍ଟଲ ସହ ସ୍ଥାନୀୟ କଳାକାରଙ୍କ ସମେତ ଜାତୀୟ ଆନ୍ତର୍ଜାତୀୟ ସ୍ତରର ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।
ଏହାସହ ପ୍ରତ୍ୟେକ ଦିନ ଦକ୍ଷିଣ ଓଡ଼ିଶାର ଶିକ୍ଷା, ସାଂସ୍କୃତିକ, ସ୍ବାସ୍ଥ୍ୟ, ପର୍ଯ୍ୟଟନ ତଥା ବିକାଶ ସମ୍ପର୍କରେ ଆଲୋଚନା ସହ ଏକ ସ୍ମରଣିକା ପ୍ରକାଶ କରାଯିବ । କାର୍ଯ୍ୟକ୍ରମ ଦିନ ଗୁଡ଼ିକ ମଧ୍ୟରେ ମହାମହିମ ରାଜ୍ୟପାଳ, ପୂର୍ବତନ ରାଜ୍ୟପାଳ, କେନ୍ଦ୍ର ତଥା ରାଜ୍ୟମନ୍ତ୍ରୀ, ବରିଷ୍ଟ ପ୍ରସାଶନିକ ଅଧିକାରୀ ଓ ପୋଲିସ ବିଭାଗ ଅଧିକାରୀ, ଅଭିନେତା, ସାହିତ୍ୟିକ, ଗଣମାଧ୍ୟମ ବ୍ୟକ୍ତିତ୍ଵ ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବାର ସ୍ଥିର ହୋଇଛି।
ଏହି ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଲୋଚନା ଚକ୍ର, ସାହିତ୍ୟ ଆସର ସହ ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନ, ବକ୍ସିଂ ସହ ଯୁବକ ଛାତ୍ରଛାତ୍ରୀ ଓ ମହିଳାଙ୍କ ନିମନ୍ତେ ପ୍ରତିଯୋଗିତା ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଦୀର୍ଘ ବର୍ଷ ବ୍ୟବଧାନରେ ଏହି ଉତ୍ସବ ଆୟୋଜନ ହେଇଥିବାରୁ ସଂସ୍କୃତି ପ୍ରେମୀ ତଥା ସହରବାସୀଙ୍କ ସମତେ ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଛି ବୋଲି ସଂଘ ସଦସ୍ୟ ମାନେ ମତ ପ୍ରକାଶ କରିଛନ୍ତି। ଏହାକୁ ସଫଳ କରିବା ନିମନ୍ତେ ଜନ ପ୍ରତିନିଧି, ପ୍ରସାଶନିକ ଓ ପୋଲିସ ଅଧିକାରୀ, ବିଭିନ୍ନ ସଙ୍ଗଠନ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅତି ଶୀଘ୍ର କରାଯିବ ବୋଲି ସାଧାରଣ ସମ୍ପାଦକ ପ୍ରସାନ୍ତ ପାତ୍ର ଓ ମହୋତ୍ସବ ସମ୍ପାଦକ ଗୋପାଳ ପଟ୍ଟନାୟକ ପ୍ରାକ୍ ପ୍ରସ୍ତୁତି ବୈଠକ ଅବସରରେ ସୂଚନା ଦେଇଛନ୍ତି।
ବିଶିଷ୍ଟ ସଂଗଠକ ତଥା ଉଭୟ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭିଷ୍ମାଚାର୍ୟ୍ଯ ଚୌଧୁରୀ, ଅନିଲ ପାତ୍ର, ସସ୍ମିତା ମିଶ୍ର, କାର୍ତ୍ତିକ ପାଣିଗ୍ରାହୀ, ସୁରେଶ ତ୍ରିପାଠୀ, ହରୀକୃଷ୍ଣ ମିଶ୍ର, ଡ ଧନ ଲକ୍ଷ୍ମୀ ପଟ୍ଟନାୟକ, ବିଶ୍ଵନାଥ ପଟ୍ଟନାୟକ, ବନ୍ଦିତା ତ୍ରିପାଠି, ଶ୍ରୀକାନ୍ତ ସାବତ, ସଞ୍ଜୟ ମାଝୀ, ଆଶିଷ ପାଢ଼ୀ, ପ୍ରକାଶ ଭାଜନି, ଅନନ୍ତ ପ୍ରଧାନ, ମହମ୍ମଦ ଆସଲାମ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ସାବତ ମତ ପ୍ରକାଶ କରିଛନ୍ତି ଯେ, "ବ୍ରହ୍ମପୁର ମହୋତ୍ସବ" ଗୋଟିଏ ବ୍ୟକ୍ତି ବା ଗୋଟିଏ ଅନୁଷ୍ଠାନର ନୁହେଁ, ଏହି ଉତ୍ସବ ସମସ୍ତଙ୍କର ଏଣୁ ଏହାକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ।
Social Footer