ସଂସଦରେ ପଡି ପ୍ରତାପ ଷଡ଼ଙ୍ଗୀ ଆହତ, ରାହୁଲ ଠେଲି ଦେଇଥିବା ଅଭିଯୋଗ

 

ସଂସଦରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ସଂସଦ ପରିସରରେ ସାଂସଦଙ୍କ ମଧ୍ୟରେ ଠେଲାପେଲା ହୋଇଛି । ଫଳରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କର ସଂସଦରେ ମୁଣ୍ଡ ଫାଟି ଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରାହୁଲ ଗାନ୍ଧୀଙ୍କ ଯୋଗୁଁ ଏଭଳି ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଷଡ଼ଙ୍ଗୀ । ତାଙ୍କୁ ଆମ୍ବୁଲାନ୍ସରେ ମେଡ଼ିକାଲ ନିଆଯାଇଛି । 

ପ୍ରତାପ ଷଡ଼ଙ୍ଗୀ ସିଧାସଳଖ କଂଗ୍ରେସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ସେ ନିଜେ ଏଥିରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଜଣେ ସାଂସଦକୁ ଧକ୍କା ଦେବାରୁ ସେ ଆସି ପ୍ରତାପ ଷଡ଼ଙ୍ଗୀ ଉପରେ ପଡ଼ି ଯାଇଥିଲେ । ଏହା ପରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡ଼ି ଯାଇଥିଲେ । ଫଳରେ ପ୍ରତାପଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଛି । ତାଙ୍କ ବାମ ଆଖି ପାଖରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । 

ଅନ୍ୟପକ୍ଷରେ ସାଂସଦ ରାହୁଲ ଗାନ୍ଧୀ ନିଜ ଭୁଲକୁ ସ୍ୱୀକାର ନ କରି କିମ୍ବା ଏତେ ବଡ଼ ସମ୍ବେଦନଶୀଳ ଘଟଣାରେ ଦୁଃଖ ପ୍ରକାଶ ନ କରି ବିଜେପି ଉପରେ ପାଲଟା ଅଭିଯୋଗ କରିଛନ୍ତି । ରାହୁଲ କହିଛନ୍ତି ଯେ ସେ ସଂସଦ ଭବନକୁ ଯିବାକୁ ଚାହୁଁଥିବାବେଳେ ବିଜେପି ସାଂସଦମାନେ ତାଙ୍କୁ ଅଟକାଇଥିଲେ ଏବଂ ଧମକ ଚମକ ଦେଇଥିଲେ । ସଂସଦକୁ ଯିବା ଆମର ଅଧିକାର, ଠେଲାପେଲା କଲେ ଆମର କିଛି ହେବନି ବୋଲି ସେ କହିଛନ୍ତି । 

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବାବା ସାହେବ ଆମ୍ବେଦକରଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ କଂଗ୍ରେସ ସଂସଦରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି । ଆଜି ପୁଣି ଥରେ କଂଗ୍ରେସ ଗୃହ ମନ୍ତ୍ରୀ ଅମିତ ଶାହଙ୍କ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଏହି ଅଘଟଣ ଘଟିଛି ।

Share this post with your friends

Prev Post Next Post