ଓଡ଼ିଶାରେ ପୁଣି ବଢ଼ିବ ଆଳୁ ସଂକଟ ! ସୀମାରେ ଅଟକିଲା ଶତାଧିକ ଆଳୁ ବୋଝେଇ ଟ୍ରକ
ପୁଣି ଥରେ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ କରିଛି ପଶ୍ଚିମବଙ୍ଗ ସରକାର । ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ସ୍ପଷ୍ଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଫଳରେ ପଶ୍ଚିମବଙ୍ଗ ସୀମାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି । ଏମିତିକି କିଛି ଆଳୁ ଗାଡ଼ି ଫେରି ଯାଇଥିବା ସୂଚନା ମିଳିଛି ।
ଗତକାଲି ଆଳୁ ଏବଂ ପିଆଜ ଦର ବୃଦ୍ଧି ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଅନ୍ୟ ରାଜ୍ୟକୁ ଆଳୁ ନ ଦେବାକୁ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି । ମମତା କହିଛନ୍ତି ତମେ ଲାଭ ଖାଇବ, ଆମେ ଚାଷୀଙ୍କୁ ବୀମା ଯୋଗାଇବୁ । ଆମଠୁ ଆଳୁ ନେଇ ଅନ୍ୟ ରାଜ୍ୟ ଲାଭ କରିବ ସେମିତି ହେବନି ।
ସେହିପରି ସେ ଆହୁରି କହିଛନ୍ତି ଅନ୍ୟଠି ଦର ବୃଦ୍ଧି ପାଇବ ମାନେ ଆମର ବୃଦ୍ଧି ତାର କୌଣସି ମାନେ ନାହିଁ । ଆମେ କୌଣସି ରାଜ୍ୟ ସହ ତୁଳନା କରୁନୁ । ନୂଆ ଆଳୁ ଆସୁ ଆସୁ ଜାନୁୟାରୀ କିମ୍ବା ଫେବୃୟାରି ହୋଇଯିବ । ତେଣୁ ନୂଆ ଆଳୁ ନ ଆସିବା ଯାଏଁ ବାହାରକୁ ଆଳୁ ଯିବନି । ତେଣୁ ପ୍ରଥମେ ନିଜ ରାଜ୍ୟର ଲୋକେ ପ୍ରଥମେ ଆଳୁ ପାଇବେ ବୋଲି ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ।
ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଫଳରେ ବେଲଦା ନିକଟସ୍ଥ ଲକ୍ଷ୍ମଣନାଥ ଟୋଲ ଗେଟ, ଶ୍ୟାମପୁରା ଏନଏଚ, ଦାତନ, ବାମନପୁକୁରୁ ଓ ସୋନାକୋନିଆ ନିକଟରେ ଗାଡ଼ି ଗୁଡ଼ିକୁ ପଶ୍ଚିମବଙ୍ଗ ପୁଲିସ ଅଟକାଇ ରଖିଛି । ତେବେ ପଶ୍ଚିମବଙ୍ଗ ସରକାର ଜାନୁୟାରୀ କିମ୍ବା ଫେବୃୟାରି ପୂର୍ବରୁ ଆଳୁ ଆସିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି ।