ଚଳିତ ମାସ ଶେଷ ସପ୍ତାହରେ ହେବାକୁ ଥିବା ଡିଜି ସମ୍ମିଳନୀରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ ଡିଜି ସମ୍ମିଳନୀ । ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଖୁବଶୀଘ୍ର ସରକାର ସ୍ତରରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ଏ ନେଇ ସୂଚନା ଦେଇଥିଲେ ପୁଲିସ ମହା ନିର୍ଦ୍ଦେଶକ ୟୋଗେଶ ବାହାଦୂର ଖୁରାନିଆ । ପ୍ରଥମ ଥର ପାଇଁ ଓଡିଶାରେ ହେବ ଡିଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇ ପାରନ୍ତି । ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତିନି ଧରି ହେବାକୁ ଥିବା ଡିଜି ଓ ଆଇଜି ସମ୍ମିଳନୀରେ ସବୁ ରାଜ୍ୟ ପୋଲିସ ଡିଜି, ବିଏସଏଫଡିଜି, ସିଆରପିଏଫ୍ ଡିଜି, ଏନଆଇଏ ମୁଖ୍ୟ, RAW ମୁଖ୍ୟ, ଆବି, ଏନଏସଜି, ଏସପିଜି ମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ସମସ୍ତ ରାଜ୍ୟର ଆଇଜିମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହେବେ । ଏହି ସମ୍ମିଳନୀରେ ରାଜ୍ୟ ତଥା ଦେଶର ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ଆତଙ୍କବାଦୀ, ଅନୁପ୍ରବେଶକାରୀ, ସାଇବର ସିକ୍ୟୁରିଟି, ଆଇନଶୃଙ୍ଖଳା, ନକ୍ସଲ ଆଦି ମୁଖ୍ୟ ପ୍ରସଙ୍ଗ ହେବ ।
Social Footer