Breaking News

ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ: ପୁଅ, ନାତି ଗିରଫ

 

ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାଠାରେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଏବଂ ତାଙ୍କ ବୃଦ୍ଧା ମା ପୋଡ଼ି ହୋଇ ମୃତ୍ୟୁବରଣ କରିବା ମାମଲା ନୂଆ ମୋଡ଼ ନେଇଛି । ଏହା ଦୁର୍ଘଟଣା ନୁହେଁ ବରଂ ଏକ ସୁପରିକଳ୍ପିତ ହତ୍ୟା ବୋଲି ଜଣାପଡ଼ିଛି । ପୁଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି । ହତ୍ୟା କରିବା ଅଭିଯୋଗରେ ପୁଅ ଏବଂ ନାତିକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଦୁଇ ଜଣେ ହେଲେ ଜଗନ୍ନାଥ ଦୀକ୍ଷିତ ଓ ତାଙ୍କ ପୁଅ ସଂକେତ ଦୀକ୍ଷିତ । 

ଘଟଣା କ୍ରମେ, ମଙ୍ଗଳବାର ରାତି ଜଗନ୍ନାଥ ଦୀକ୍ଷିତ ଓ ତାଙ୍କ ପୁଅ ସଂକେତ ଦୀକ୍ଷିତ ମା’ ସ୍ନେହ ଲତା ଦିକ୍ଷିତ ଏବଂ ଭଉଣୀ ସୈରେନ୍ଦ୍ରୀ ଦିକ୍ଷିତଙ୍କୁ ପ୍ରଥମେ ଶ୍ୱାସ ରୁଦ୍ଧ କରି ହତ୍ୟା କରିଥିଲେ । ଏହା ପରେ ପ୍ରମାଣ ନଷ୍ଟ କରିବାକୁ ଦୁଇ ଜଣଙ୍କୁ ଅଲଗା ଅଲଗା କୋଠରୀରେ ରଖି ନିଆଁ ଲଗାଇଦେଇଥିଲେ । ଏହି ଘଟଣାରେ ସଦର ପୁଲିସ ଅଭିଯୁକ୍ତ ଜଗନ୍ନାଥ ଓ ପୁଅ ସଂକେତ ଗିରଫ କରିଛି । ଏହା ସହ ଆଜି ଅଭିଯୁକ୍ତମାନଙ୍କୁ ଘଟଣା ସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବ ବୋଲି ଜଣାପଡ଼ିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଉପର ମହଲାର ଘର ଭିତରେ ନିଆଁ ଜଳୁଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ତଳ ମହଲାରେ ରହୁଥିବା ତାଙ୍କ ଜଗନ୍ନାଥଙ୍କୁ କହିଥିଲେ । ଏହା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୈରେନ୍ଦ୍ରୀଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ  ଅନ୍ୟ ଏକ କୋଠରିରେ ଶୋଇଥିବା ସ୍ନେହଲତା ମଧ୍ୟ ପ୍ରାଣ ହରାଇଥିବା ଦେଖିବାକୁ ମିଳିଥିଲା । 

ସୈରେନ୍ଦ୍ରୀ ଜଣେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଥିଲେ । ସେ ଅବିବାହିତା ଥିଲେ ।   କିନ୍ତୁ ଘଟଣାକୁ ଦୁର୍ଘଟଣା ବୋଲି ମାନିବାକୁ ରାଜି ନ ଥିଲେ ସ୍ନେହଲତାଙ୍କ ସାନ ଝିଅ । ସମ୍ପତ୍ତି ପାଇଁ ଦୁଇ ଜଣଙ୍କୁ ହତ୍ୟା କରି ପୋଡ଼ି ଦିଆଯାଇଛି ତାଙ୍କ ଭଉଣୀ ଅଭିଯୋଗ କରିଥିଲେ । ସଦର ପୁଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରିଥିଲା ।

Type and hit Enter to search

Close