Breaking News

ଆଜି ନବରାତ୍ରୀର ତୃତୀୟ ଦିନ, ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା'

 

ଆଜି ନବରାତ୍ରୀର ତୃତୀୟ ଦିନ। ଘରେ ଘରେ ପୂଜା ପାଉଛନ୍ତି ମା’ ଦୂର୍ଗତିନାଶିନୀ। ଆଜିର ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ରୂପରେ ପୂଜା ପାଉଛନ୍ତି। ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଦେବୀ ଚନ୍ଦ୍ରଘଣ୍ଟା ନାମେ ସମସ୍ତ ଭକ୍ତ ପୂଜା କରୁଛନ୍ତି। ମା’ ଚନ୍ଦ୍ରଘଣ୍ଟାଙ୍କ ଶରୀରର ରଙ୍ଗ ସ୍ବର୍ଣ୍ଣ ସମାନ ଉଜ୍ଜଳ ଏବଂ ତାଙ୍କ ବାହାନ ହେଉଛନ୍ତି ବାଘ। ଏହି ରୂପରେ ଦେଵୀ ଦଶଭୁଜା ଓ ତ୍ରିନୟନୀ ଆଠଟି ହସ୍ତରେ ଖଡ୍ଗ, ପଦ୍ମ, ଧନୁଷ-ବାଣ, କମଣ୍ଡଳୁ, ତ୍ରିଶୂଳ ଏବଂ ଗଦା ଆଦି ଶସ୍ତ୍ର ସୁଶୋଭିତ ହେଇଛନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରୁଛନ୍ତି। 

କଣ୍ଠରେ ଶୁଭ୍ର ପୁଷ୍ପ ମାଳା ଏବଂ ଶୀର୍ଷ ଉପରେ ରତ୍ନ ଜଡି଼ତ ମୁକୁଟ ବିରାଜମାନ କରିଛନ୍ତି। ତେବେ ଆଜି ମା' ଚନ୍ଦ୍ରଘଣ୍ଟାଙ୍କୁ ଦର୍ଶନ କଲେ ସମସ୍ତ ପାପ ଏବଂ ବାଧା ବିନଷ୍ଟ ହୋଇଥାଏ। ମା' ଙ୍କ ମୁଦ୍ରା ସଦୈବ ୟୁଦ୍ଧ ନିମନ୍ତେ ଅଭିମୁଖ ରହିବା କାରଣରୁ ଭକ୍ତ ମାନଙ୍କ କଷ୍ଟ ନିବାରଣ ତୁରନ୍ତ କରିଥାନ୍ତି। ତେଣୁ ମା' ଙ୍କ ଅରାଧନାରୁ ପ୍ରାପ୍ତ ହେଉଥିବା ସଦଗୁଣ, ସାଧକଙ୍କ ମନରେ ବୀରତା ଓ ନିର୍ଭରତା ସହିତ ସୌମ୍ୟତା ଏବଂ ବିନମ୍ରତାର ବିକାଶ ହୋଇଥାଏ ।

Type and hit Enter to search

Close