ଆନ୍ଦୋଳନରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବନ୍ଦ ହେବନି ବସ୍ ସେବା
ଆଜିଠୁ ରାଜ୍ୟର ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ହେବାକୁ ଥିବା ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ ହୋଇଛି । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସହିତ ବୈଠକ ପରେ ଧର୍ମଘଟରୁ ଓହରିଛି ବସ ମାଲିକ ସଂଘ । ଘରୋଇ ବସ ମାଲିକ ସଂଘ ସରକାର ସମ୍ମୁଖରେ ରଖିଥିବା ଦାବିକୁ ଗ୍ରହଣ କରାଯିବା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି । ଏହା ଉପରେ ଆଗାମୀ ଦିନରେ ଅଧିକ ଆଲୋଚନା କରାଯିବା । ଦଶହରା ପୂଜା ଥିବାରୁ ଏହି ଅବସରରେ ବସ ସେବା ଚାଲୁ ରଖିବାକୁ ମନ୍ତ୍ରୀ କହିଥିଲେ । ଯାହାକୁ ଘରୋଇ ବସ ମାଲିକ ସଂଘ ମାନି ନେଇଛି ।
ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଥିଲା । ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । ଟାଇପ-୧ ପଞ୍ଚାୟତରୁ ବ୍ଲକ, ଟାଇପ-୨ରେ ବ୍ଲକରୁ ଜିଲା ସଦର ମହକୁମା ଯାଏଁ ଲକ୍ଷ୍ମୀ ବସ୍ ଚାଲିବ ବୋଲି କୁହାଯାଇଥିଲା । ସଂଘ ପକ୍ଷରୁ ବିରୋଧ କରାଯିବାରୁ ଟାଇପ-୨ରେ ସେବାକୁ ସରକାର ସ୍ଥଗିତ ରଖିଥିଲେ। ବର୍ତ୍ତମାନ ଟାଇପ-୨ରେ ଲକ୍ଷ୍ମୀ ବସ୍ ଚଲାଇବାକୁ ଏକ ସଂସ୍ଥା ଆବେଦନ କରି ସାରିଛି । ଏହାକୁ ବିରୋଧ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଘରୋଇ ବସ୍ ମାଲିକ ସଂଘ ତରଫରୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା ।