ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ନେଇପାରେ ଲଘୁଚାପ ରୂପ: ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

 

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଦିଗରେ ଗତି କରିବ । ମଙ୍ଗଳବାର ସୁଦ୍ଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ(ୱେଲ ମାର୍କଡ୍‌)ରେ ପରିଣତ ହେବ । ସେହିଭଳି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ ରହିବନି । ୧୮ରୁ ୨୦ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୮ରୁ ୨୦ ତାରିଖ ଭିତରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । 

ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି । ରବିବାର ବଲାଙ୍ଗୀର, କନ୍ଧମାଳ ଓ ନୂଆପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର ହୋଇଛି । ଆସନ୍ତା ଦୁଇ ଦିନରେ ପୂରା ରାଜ୍ୟରୁ ମୌସୁମୀ ବାୟୁ ଫେରିବା ପାଇଁ ପାଗ ଅନୁକୂଳ ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆକଳନ କରିଛନ୍ତି । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ପ୍ରବଳ ଖରା ଓ ତାତି ଅନୁଭୂତ ହୋଇଥିଲା । ଜଗତସିଂହପୁରରେ ସର୍ବାଧିକ ୩୬.୨ ଡିଗ୍ରୀ ରେକର୍ଡ ହୋଇଛି । ପାରଳାଖେମୁଣ୍ଡିରେ ୩୫.୮, ବୌଦ୍ଧ ଓ ବରଗଡ଼ରେ ୩୫.୫ ଓ ଅନୁଗୁଳରେ ୩୫.୧ଡିଗ୍ରୀ ତାତି ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୩୪.୭ ଡିଗ୍ରୀ ତାତି ଅନୁଭୂତ ହୋଇଛି ।