Breaking News

ବାତ୍ୟା ଦାନାକୁ ନେଇ ଆସିଲା ଅପଡେଟ୍ : ଭିତରକନିକାରୁ ଧାମରା ଭିତରେ କରିବ ଲ୍ୟାଣ୍ଡଫଲ୍

 

ବାତ୍ୟା ‘ଦାନା’ ପୁଣି ଥରେ ନିଜର ଦିଗ ପରିବର୍ତ୍ତନ କରିଛି । ସମୁଦ୍ର ଗର୍ଭରେ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଦାନା’ । ଆସନ୍ତାକାଲି ସୁଦ୍ଧା ଏହା ଭୀଷଣ ବାତ୍ୟାରେ ରୂପ ନେବ । ବାତ୍ୟା ଭଦ୍ରକର ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।   ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା ମୁତାବକ, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଘଣ୍ଟାକୁ ୧୫ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ସମୁଦ୍ର ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । 

ଆସନ୍ତା ୨୪ ତାରିଖ ରାତ୍ରି ଏବଂ ୨୫ ତାରିଖ ଭୋର ମଧ୍ୟର ସ୍ଥଳ ଭାଗରେ ପହଁଚିବ । ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡ ଫଲ୍ କରିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ଦୀର୍ଘ ୨ ଘଣ୍ଟା ଧରି ଚାଲୁ ରହିବ । ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୦୦ କିମିରୁ ୧୧୦କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଝଟକା ପବନ ୧୨୦ କିମି ରହିବ । ସେହିପରି ବାତ୍ୟା ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କୃତ୍ରିମ ବନ୍ୟା ମଧ୍ୟ ହୋଇପାରେ । ଲ୍ୟାଣ୍ଡ ଫଲ୍ ବେଳେ ସମୁଦ୍ର ଅଶାନ୍ତ ରହିବ ସହିତ ୧ ମିଟର ପର‌୍ୟ୍ୟନ୍ତ ଜୁଆର ଉଠିପାରେ । ବାତ୍ୟାରେ ଅଧିକ ପ୍ରଭାବିତ ହେବ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା । ଏହି ଜିଲ୍ଲାକୁ ରେଡ୍ ଆଲର୍ଟରେ ରଖାଯାଇଛି । ଅନ୍ୟପକ୍ଷରେ ଧାମରା ଏବଂ ପାରାଦୀପ ବନ୍ଦର ୪ ନମ୍ବର ବିପଦ ସଙ୍କେତ ଦିଆଯାଇଥିବାବେଳେ ଗୋପାଳପୁରକୁ ୨ ନମ୍ବର ବିପଦ ସଙ୍କେତରେ ରଖାଯାଇଛି ।

Type and hit Enter to search

Close