Breaking News

ଓଲଟିଲା ପୋଲିସ୍ ଭ୍ୟାନ୍‌, ୨୯ ଆହତ, ୧୦ ଗୁରୁତର

 

ଉତ୍ତର ପ୍ରଦେଶର ବଲିଆରେ ମଙ୍ଗଳବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବିହାର ସ୍ପେଶାଲ ଆର୍ମସ୍ ପୋଲିସ ଯବାନଙ୍କର ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ବସଟି ରାସ୍ତାପାର୍ଶ୍ୱ ଖାଇକୁ ଓଲଟି ପଡ଼ିବାରୁ ବିହାର ପୋଲିସର ୨୯ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଯବାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

ବଲିଆ ପୋଲିସ ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୧ଟାରେ ଏନଏଚ୍ ୩୧ରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଅନିୟନ୍ତ୍ରିତ ହୋଇ ରାସ୍ତାପାର୍ଶ୍ୱ ଖାଇକୁ ଓଲଟି ପଡ଼ିଥିଲା । ବସରେ ଥିବା ଯବାନମାନେ ରୋହତାସରୁ ସିୱାନ ଡ୍ୟୁଟି ପାଇଁ ଯାଉଥିଲେ ।

ଦୀପାବଳି ଏବଂ ଛଠ୍ ପର୍ବରେ ସୁରକ୍ଷା ବ୍ୟବସ୍ଥା ପାଇଁ ଯବାନମାନେ ଏକ ଘରୋଇ ବସରେ ରୋହତାସର ଡେହରୀ ଅନ୍ ସୋନରୁ ସିୱାନ ଯାଉଥିଲେ । ଖବର ପାଇ ବଲିଆ ପୋଲିସ ପହଞ୍ଚି ଆହତ ୨୯ ଯବାନଙ୍କୁ ସୋନବରସା ଡାକ୍ତରଖାନା ନେଇଥିଲା । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ୧୦ ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଯବାନମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଏସପି ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଏ ସମ୍ପର୍କରେ ବିହାର ସ୍ପେଶାଲ ଆର୍ମସ୍ ପୋଲିସ ଡିସିପି ଲଲନ ପ୍ରସାଦ ସିଂ କହିଛନ୍ତି ଯେ ଆହତ ସମସ୍ତ ଯବାନ ବିପଦମୁକ୍ତ ଅଛନ୍ତି । ବସର ଅବସ୍ଥା ବହୁତ ଖରାପ ଥିଲା । ଯବାନମାନଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ପାଇଁ ଘରୋଇ ବସ ଦେବାର ଉଚିତ୍ ନ ଥିଲା । ସେପଟେ ଦୁର୍ଘଟଣା ପରେ ଘରୋଇ ବସର ଚାଳକ ଫେରାର୍ ହୋଇଯାଇଛନ୍ତି ।

Type and hit Enter to search

Close