ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ, ୪ ଜଣ ଯୁବକ ଜୀବନ୍ତ ଦଗ୍ଧ
ହରିୟାଣାର ଗୁରୁଗ୍ରାମରେ ଏକ ଘରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ସରସ୍ୱତୀ ଏନକ୍ଲେଭର ଜେ-ବ୍ଲକସ୍ଥିତ ଏକ ଘରେ ଗତ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ୍ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘଟଣା ସମୟରେ ୪ ଜଣ ଯୁବକ ଏକ କୋଠରୀରେ ଶୋଇଥିଲେ । ମୃତକମାନଙ୍କ ବୟସ ୧୭ ବର୍ଷ, ୨୨ ବର୍ଷ, ୨୪ ବର୍ଷ ଓ ୨୮ ବର୍ଷ ।
ସୂଚନା ଅନୁସାରେ, ୪ ଜଣ ଯୁବକ ବିହାରର ବାସିନ୍ଦା ଥିଲେ । ଏଠାରେ ସେମାନେ ସରସ୍ୱତୀ ଏନକ୍ଲେଭରେ ଏକ ଘର ଭଡ଼ା ନେଇ ରହୁଥିଲେ । ମୃତ ଯୁବକମାନଙ୍କ ପରିଚୟ ଜଣାପଡ଼ିଛି । ସେମାନେ ହେଲେ ନୁର ଆଲମ, ମୁସ୍ତାକ, ଅମନ ଓ ସାହିଲ ।
ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହାପରେ ଘର ଭିତରୁ ୪ ଜଣଙ୍କ ମୃତଦେହକୁ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ସମସ୍ତେ ଏକ ଗାରମେଣ୍ଟସ୍ କମ୍ପାନୀରେ ଟେଲରିଂ କାମ କରୁଥିଲେ । ସାହିଲ ନାମକ ଯୁବକ ଗୁରୁଗ୍ରାମ ବୁଲିବାକୁ ଆସି ଏଠାରେ ଅଟକି ରହିଥିଲେ । ସେ ୧୦ମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି ।
ସ୍ଥାନୀୟ ଲୋକେ କହିଛନ୍ତି ଯେ ସମସ୍ତେ ଗୋଟିଏ ପରିବାରର ପିଲା ଥିଲେ । ଯୁବକମାନେ ରାତିରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଥିଲା । ଫଳରେ ଶ୍ୱାସରୁଦ୍ଧ ଏବଂ ନିଆଁରେ ଜଳି ସମସ୍ତଙ୍କ ମୃତ୍ୟୁ ଘଟିଥିଲା । ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଯେତେବେଳେ କବାଟ ଭଙ୍ଗାଯାଇଥିଲା, ସେତେବେଳକୁ ଯୁବକମାନଙ୍କର ମୃତ୍ୟୁ ହୋଇସାରିଥିଲା । ଦମକଳ ଗାଡ଼ି ବିଳମ୍ବରେ ପହଞ୍ଚିଥିବା ଲୋକେ କହିଛନ୍ତି ।